ପ୍ରଧାନମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକ, ଟିକାକରଣ ଓ କଟକଣା ଉପରେ ବିସ୍ତୃତ ଆଲୋଚନା

68

କନକ ବ୍ୟୁରୋ : କରୋନାର ତୃତୀୟ ଲହର ଆଶଂକା ଏବେ ଟଳି ନାହିିଁ । ଏହାକୁ ନଜରରେ ରଖି ଦେଶରେ ତୀବ୍ର ଗତିରେ ଚାଲିଛି କରୋନା ବିରୋଧରେ ଟକାକରଣ ଅଭିଯାନ । ସେପଟେ ଆଗକୁ ଆସୁଛି ପାର୍ବଣ ଋତୁ । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ସମୀକ୍ଷା ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କୋଭିଡ-୧୯ ସ୍ଥିତି ଓ ଟିକାକରଣ ନେଇ ଚର୍ଚ୍ଚା କରିଛନ୍ତି ।

ଏହି ବୈଠକ ଏଭଳି ସମୟରେ ଅନୁଷ୍ଠିତ ହୋଇଛି କି ଯେତେବେଳେ ଗତକାଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଥିଲେ କି ଏବେ ବି ଦେଶରେ କରୋନାର ଦ୍ୱିତୀୟ ଲହରି ଜାରି ରହିଛି । ସେ କହିଥିଲେ କି ଏବେ ବି ୩୫ ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି ଓ ୩୦ ଜିଲ୍ଲାରେ ୫-୧୦ ପ୍ରତିଶତ ମଧ୍ୟରେ ରହିଛି ।
ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ଆଜି ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ଆଗାମୀ ପାର୍ବଣ ଋତୁରେ କିଭଳି କରୋନା କଟକଣା ଲଗାଯିବ ଓ ଟିକାକରଣର ସ୍ଥିତି ନେଇ ଆଲୋଚନା କରିଛନ୍ତି । ଏହି ବୈଠକ ଭର୍ଚୁଆଲ ମାଧ୍ୟମରେ ହୋଇଛି ।

ସେପଟେ ଗୁରୁବାର ଦିନ ସରକାର କହିଥିଲେ କି ଦେଶରେ ୫୮ ପ୍ରତିଶତ ବୟସ୍କ ଲୋକଙ୍କୁ ଅତି କମରେ ଟିକାର ଗୋଟିଏ ଖୋରାକ ଦିଆ ସରିଛି ଓ ୧୮ ପ୍ରତିଶତ ବୟସ୍କ ଟିକାର ଉଭୟ ଖୋରାକ ନେଇ ସାରିଛନ୍ତି । ଏହାସହ ଦେଶରେ ମୋଟ ୭୨ କୋଟି ଡୋଜ ଟିକା ଦିଆଯାଇଥିବା ସରକାର ସୂଚନା ଦେଇଛନ୍ତି ।

ସରକାରୀ ସୂଚନା ମୁତାବକ ଦେଶରେ ମୋଟ ୫୮ କୋଟି ୮୬ ଲକ୍ଷ ୪ ହଜାର ୮୫୪ ଜଣଙ୍କ ଠାରେ କୋଭିଡ -୧୯ ପରୀକ୍ଷଣ କରାଯାଇଛି । ଯାହା ମଧ୍ୟରୁ କେବଳ ଗୁରୁବାର ଦିନ ୧୭,୮୭,୬୧୧ ଜଣଙ୍କ ଟେଷ୍ଟ କରାଯାଇଛି । ଏହାସହ ଦୈନିକ ସଂକ୍ରମଣ ହାର ୧.୯୬ ପ୍ରତିଶତ ରହିଛି ।