କନକ ବ୍ୟୁରୋ: କାଶ୍ମୀରରେ ହଲଚଲ ଚାଲିଥିବା ବେଳେ ଆଜି ଅଚାନକ କେନ୍ଦ୍ର କ୍ୟାବିନେଟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ର କ୍ୟାବିନେଟ ଆଜି ସକାଳ ସାଢେ ୯ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । କ୍ୟାବିନେଟ ବୈଠକର ଏଜେଣ୍ଡା ବୈଠକରେ ହିଁ ଜଣାଇଦିଆଯିବ ବୋଲି ସୂଚନା ମିଳିଛି । ସେହିପରି କାଲି କାଶ୍ମୀର ପ୍ରସଙ୍ଗକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଏନଏସଏ ଅଜିତ ଡୋଭାଲ, ଆଇବି ଚିଫ ଓ ର ଚିଫଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । କାଶ୍ମୀରରେ ଘଂଟାକୁ ଘଂଟା ଘଟଣାକ୍ରମ ବଦଳୁଥିବା ବେଳେ କେନ୍ଦ୍ର ସରକାର କ୍ୟାବିନେଟ ବୈଠକ ଡାକିଛନ୍ତି । ତେଣୁ ଆଜିର କ୍ୟାବିନେଟ ବୈଠକରେ କାଶ୍ମୀରକୁ ନେଇ ମୋଦି ସରକାର ବଡ ନିଷ୍ପତି ନେଇପାରନ୍ତି ବୋଲି ଆକଳନ କରାଯାଉଛି । ସେହିପରି କ୍ୟାବିନେଟ ବୈଠକରେ ଚଳିତ ଅଧିବେଶନର ଅବଧି ଆହୁରୀ ଦୁଇ ଦିନ ବଢାଇବା ଉପରେ ଆଲୋଚନା ହୋଇପାରେ । ତେବେ କେନ୍ଦ୍ର କ୍ୟାବିନେଟ କଣ ନିଷ୍ପତି ନିଆଯିବ ତା ଉପରେ ସାରା ଦେଶର ନଜର ରହିଛି ।

Advertisment

ସେପଟେ, ଘଂଟାକୁ ଘଂଟା ବଦଳୁଛି କାଶ୍ମୀରର ଘଟଣାକ୍ରମ । କଶ୍ମୀରରେ ଗୋଟିଏ ପରେ ଗୋଟିଏ ରାଜନୈତିକ ଦୃଶ୍ୟପଟ୍ଟର ଦ୍ରୁତ ପରିବର୍ତ୍ତନ ହେଉଛି । କାଲି ରାତିରୁ ପିଡିପି ମୁଖ୍ୟ ମେହେବୁବା ମୁଫତି ଓ ନେସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରାଯାଇଛି । ସେହିପରି ପିପୁଲସ କନଫରେନ୍ସ ନେତା ସଜ୍ଜାଦ ଲୋନଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଥିବା ସୂଚନା ମିଳିଛି । ଶ୍ରୀନଗର ଓ ଜମ୍ମୁରେ ଜାରି ହୋଇଛି ୧୪୪ ଧାରା । କାଶ୍ମୀର ଘାଟିରେ ସ୍କୁଲ, କଲେଜ, ଶିକ୍ଷଣ ପ୍ରତିଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି ।

ମୋବାଇଲ ଇଂଟରନେଟା ସେବାକୁ ବନ୍ଦ ରହିଛି । ଜମ୍ମୁରେ ମଧ୍ୟ ସ୍କୁଲ, କଲେଜ ବନ୍ଦ ରଖିବାକୁ ଆଡଭାଇଜରୀ ଜାରି କରାଯାଇଛି । କୌଣସି ପ୍ରକାର ବୈଠକ, ରାଲି ଉପରେ କଟକଣା ଜାରି କରିଛି ପ୍ରଶାସନ । କାଶ୍ମୀର ୟୁନିର୍ଭସିଟିର ସମସ୍ତ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ସୂଚନା ମିଳିଛି । ଜମ୍ମୁରେ ୪୦ କଂପାନୀ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି । ଏସବୁ ଘଟଣା ପରେ ସମସ୍ତଙ୍କ ମନରେ ପ୍ରଶ୍ନ କଶ୍ମୀରରେ କଣ ହେବାକୁ ଯାଉଛି । ସରକାରଙ୍କ ଏହି ପ୍ରସ୍ତୁତି ରାଜ୍ୟ ଭିତରେ ଥିବା ସମସ୍ୟା ସମାଧାନ ପାଇଁ ସୀମାପାର ଆତଙ୍କବାଦ ପାଇଁ ତାହା କେହି କହି ପାରୁ ନାହାନ୍ତି ।