କନକ ବ୍ୟୁରୋ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ସତର୍କ ରହିବା ସହ ସଚେତନ ରହିବାକୁ ମୋଦି ଦେଲେ ପରାମର୍ଶ । ଗତ କିଛି ମାସ ହେବ ଏକ ଲମ୍ବା ଲଢେଇ ଆମେ ଲଢି ଆସୁଛୁ । ଏବେ ପର୍ବ ପର୍ବାଣୀର ମାହୋଲ, ତେଣୁ ଲୋକଙ୍କ ଗହଳି ଲାଗୁଛି । ଲକଡାଉନ, ସଟଡାଉନ ଉଠିଥିବାରୁ ଲୋକ ସବୁ ସ୍ଥାନକୁ ଯାଇ ପାରୁଛନ୍ତି । ମନେ ରଖନ୍ତୁ ଲକଡାଉନ ଯାଇଛି, ହେଲେ କରୋନା ଯାଇନି ।

Advertisment

ଗତ ୮ ମାସ ହେବ ଦେଶବାସୀଙ୍କ ତ୍ୟାଗ ପାଇଁ ଭାରତ ଆଜି ଭଲ ସ୍ଥାନରେ ରହିଛି । ଅନ୍ୟ ଦେଶ ତୁଳନାରେ ଭାରତ ଭଲ ସ୍ଥିତିରେ ରହିଛି । ଆମେରିକା, ବ୍ରାଜିଲ ତୁଳନାରେ ଆମେ ଭଲ ଅଛୁ । ସୁସ୍ଥ ଓ ମୃତ୍ୟୁ ହାରରେ ଆମ ଦେଶ ନିୟନ୍ତ୍ରଣରେ ରହିଛି । ତେଣୁ ଯେଉଁ ତ୍ୟାଗ କରି ଆମେ ଏହି ଜାଗାରେ ପହଞ୍ଚିଛୁ ତାହାକୁ ପୁଣି ଆମେ ଭାଙ୍ଗିବାକୁ ଦେବୁନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ଲକଡାଉନ ସରିଛି ଭାବି ଆପଣ ଭାବନ୍ତୁନି କି ବିପଦ ଚାଲିଗଲା ବୋଲି । ଅନେକ ଲୋକ ନିୟମ ମାନୁ ନାହାନ୍ତି । ମନ ଇଚ୍ଛା ବାହାରେ ବୁଲୁଛନ୍ତି । ତେବେ ଆପଣ ଯଦି ବିନା ମାସ୍କରେ ଘରୁ ବାହାରୁଛନ୍ତି ତେବେ ଆପଣ ନିଜ ସହ ନିଜ ପରିବାରକୁ ବିପଦରେ ପକାଉଛନ୍ତି ବୋଲି ମୋଦି ସତର୍କ କରାଇଛନ୍ତି ।

ସନ୍ଥ କବିର ଦାସଙ୍କ ଏକ କବିତା କହି ଦେଶବାସୀଙ୍କୁ ପରାମର୍ଶ ଦେଲେ ମୋଦି । କହିଲେ ଫସଲ ପାଚି ଯାଇଛି ବୋଲି ଢିଲା ମାରିବା କଥା ନୁହେଁ ଘରକୁ ଫସଲ ନଆସିବା ଯାଏଁ ସଜାଗ ରୁହନ୍ତୁ । ତେବେ ଭାରତରେ କରୋନା ଭ୍ୟାକସିନ ପାଇଁ କାମ ଚାଲିଛି । କରୋନା ଭ୍ୟାକସିନ ଯେବେବି ଆସିବ, ସଙ୍ଗେସଙ୍ଗେ ତାହା ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଚାଲିଛି । ତେଣୁ ଔଷଧ ନାହିଁ ତ ଖାମଖିଆଲି ନାହିଁ । ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା, ହାତ ଧୋଇବା ପ୍ରତି ଧ୍ୟାନ ଦିଅନ୍ତୁ । ଆଗାମୀ ପର୍ବପର୍ବାଣୀ ସମସ୍ତଙ୍କ ପାଇଁ ଶୁଭ ହେଉ । ସୁରକ୍ଷିତ ରହି ଉତ୍ସବ ପାଳନ କରନ୍ତୁ ।