ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ : ବିଜେପିର ରେକର୍ଡ ଟିକାକରଣ ଲକ୍ଷ୍ୟ

ଗୋଟିଏ ଦିନରେ ଦେଢ଼ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା; ପୂର୍ବରୁ ୩ଥର ଦେଶରେ ୧କୋଟିରୁ ଅଧିକ ହୋଇଛି ଟିକାକରଣ

116

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ରେକର୍ଡ ଟିକାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ପ୍ରାୟ ଦେଢ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ପାଇଁ ଲକ୍ଷ୍ୟ ରହିଛି । ମୋଦୀଙ୍କ ଜନ୍ମଦିନ ଅବସରରେ ଯେଉଁ ଟିକାକରଣ ହେବ ତାହା ଜାତୀୟ ଇତିହାସରେ ଏକ ରେକର୍ଡ ହେବ ବୋଲି ବିଜେପି ନେତା କହିଛନ୍ତି । ପୂର୍ବରୁ ତିନି ଥର ଦେଶରେ କୋଟିଏରୁ ଅଧିକ ଟିକାକରଣ ହୋଇଛି । ହେଲେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦେଢକୋଟିରୁ ଅଧିକ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବର୍ତମାନ ସୁଦ୍ଧା ଦେଶରେ ୨୦ ପ୍ରତିଶତ ବୟସ୍କ ସଂପୂର୍ଣ୍ଣ ଟିକା ନେଇ ସାରିଛନ୍ତି । ଅନ୍ୟପଟେ ୬୨ ପ୍ରତିଶତ ଲୋକ ଗୋଟିଏ ଡୋଜ୍ ନେଇଛନ୍ତି ।

ଆଜିଠାରୁ ୧୭ରୁ ୨୦ ପର୍ଯ୍ୟନ୍ତ ଆୟୋଜନ କରାଯିବ ସ୍ବାସ୍ଥ୍ୟ ପରୀକ୍ଷା ଶିବିର । ଯୁବବର୍ଗ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରିବେ । ଦରିଦ୍ର ଜନତାଙ୍କୁ ‘ଅନୁସୂଚୀତ ଜାତି ମୋର୍ଚ୍ଚା’ ଫଳ ଏବଂ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ବଣ୍ଟନ କରିବ । ‘ଓବିସି ମୋର୍ଚ୍ଚା’ କର୍ମୀମାନେ ଅନାଥାଶ୍ରମ ଏବଂ ଜରାନିବାସରେ ଫଳ ବଣ୍ଟନ କରିବେ । ‘କିଷାନ୍‌ ମୋର୍ଚ୍ଚା’ ‘କିଷାନ୍‌ ସମ୍ମାନ ଦିବସ’ ଆୟୋଜନ କରିବ। ଏଥିରେ ୭୧ଜଣ କୃଷକ ଏବଂ ୭୧ଜଣ ତରୁଣଙ୍କୁ ସମ୍ମାନ ପ୍ରଦାନ କରାଯିବ ।  ସେହିପରି, ‘ମହିଳା ମୋର୍ଚ୍ଚା’ ମହାମାରୀ ସମୟରେ ସେବା ପ୍ରଦାନ କରିଥିବା ୭୧ଜଣ ମହିଳା କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ କରିବ ।

ଏହା ବ୍ୟତିରେକେ, ଏହି ଅଭିଯାନ ସମୟ ଅବଧିରେ ସେପ୍ଟେମ୍ବର ୨୫ ତାରିଖରେ ପଡୁଥିବା ଦୀନଦୟାଲ୍‌ ଉପାଧ୍ୟାୟଙ୍କ ଜୟନ୍ତୀରେ ‘ବିଜେପି’ ପ୍ରତି ବୁଥ୍‌ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବ । ଅକ୍ଟୋବର ୨ରେ ‘ବିଜେପି’ ଆୟୋଜନ କରିବ ପରିମଳ ଅଭିଯାନ । ଏଥିରେ ନଦନଦୀ ପରିଷ୍କାର କରାଯିବା ସହ ବୃକ୍ଷ ରୋପଣ କରାଯିବ । ଏହି ସମୟରେ ‘ପ୍ଲାଷ୍ଟିକ୍‌-ମୁକ୍ତ ଭାରତ’ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ।