ମୋଦି ଖେଳିଲେ ଜାତିଆଣ କାର୍ଡ! ଓବିସି ଭିତରେ ଏମବିସିକୁ ପ୍ରାଧାନ୍ୟ ଦେବାକୁ ମୋଦିଙ୍କ ନିଷ୍ପତି । ୨୦୧୯ ନିର୍ବାଚନ ପାଇଁ ହେଲା କି ଗୋଟି ଚାଳନା ?

38

କାଏରାନା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ଖେଳିଛନ୍ତି ଜାତିଆଣ କାର୍ଡ । ପଛୁଆବର୍ଗଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଏବଂ ଏସପି-ବିଏସପିର ଭୋଟକୁ କାଟିବା ପାଇଁ ମୋଦି ଏଭଳି ବାଜି ଖେଳିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଗତକାଲି ଦିଲ୍ଲୀ-ମେରଟ ଏକ୍ସପ୍ରେସୱେ ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ । ବାଗପତ ଠାରେ ଏକ ରୋଡ ସୋ ଜରିଆରେ ଲୋକଙ୍କୁ ଉଦବୋଧନ ଦେଇଥିଲେ । ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଛୁଆ ବର୍ଗ ଜାତି ମଧ୍ୟରୁ ମୋଷ୍ଟ ବ୍ୟାକୱାର୍ଡ କାଷ୍ଟ (ଏମବିସି) ଅର୍ନ୍ତଭୁକ୍ତ ଲୋକଙ୍କୁ ଏକ ବିଶେଷ କୋଟା ପ୍ରଦାନ କରିବା ପାଇଁ କହିଥିଲେ । ତେବେ ପଛୁଆ ବର୍ଗ ଲୋକଙ୍କ ପାଇଁ ରିର୍ଜଭେସନ( ସଂରକ୍ଷଣ) ବ୍ୟବସ୍ଥା ଅଧିକରୁ ଅଧିକ କରିବା ପାଇଁ କେନ୍ଦ୍ର ସରକାର ଚାହୁଁଛନ୍ତି ତେଣୁ ଏନେଇ ଏକ ଆୟୋଗ ମଧ୍ୟ ଗଠନ କରାଯାଇଥିବା ମୋଦି କହିଛନ୍ତି ।

ଏହି ଆୟୋଗରେ ପ୍ୟାନେଲ ପଛୁଆବର୍ଗଙ୍କ ପାଇଁ ଏକ ତାଲିକା ପ୍ରସ୍ତୁତ କରୁଛନ୍ତି ଯେଉଁଥିରେ ଓବିସିର ଥିବା ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ଅନ୍ତର୍ଗତ ଏକ କୋଟା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଯେଉଁଥିରେ ଏମବିସିର ଲୋକମାନେ ସରକାରୀ ଚାକିରୀ ଏବଂ ସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଅଧିକ ଉପକୃତ ହେବେ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି । ଏଭଳି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଗତ କିଛି ବର୍ଷ ହେବ ଏହା ଉପରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୋଦି କହିଥିଲେ । ତେବେ ପୂର୍ବରୁ ୨୭ ପ୍ରତିଶତ ସଂରକ୍ଷଣ ଥିବା ଓବିସି କୋଟାରେ ପୁଣି ଏମବିସିକୁ ପ୍ରଧାନ୍ୟ ସହିତ ଅଧିକ ଗୁରୁତ୍ୱ ଦେବା ନିଶ୍ଚିନ୍ତ ଭାବେ ରାଜନୈତିକ କ୍ଷେତ୍ରରେ ହଟଚମଟ ସୃଷ୍ଟି କରିବ ।

ସୁଚନା ମୁତାବକ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ବହୁମତ ବିଜୟ ପଛରେ ପଛୁଆବର୍ଗଙ୍କ ସମର୍ଥନ ଥିଲା । ଯାହାଦ୍ୱାରା ପଛୁଆ ବର୍ଗଙ୍କୁ ନେଇ ପ୍ରଥମ ଥର ପାଇଁ ଏଭଳି ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ମନବଳାଇଛନ୍ତି କେନ୍ଦ୍ର ସରକାର । ତେବେ ହଠାତ୍ କାହିଁକି ପଛୁଆବର୍ଗଙ୍କ କଥା ମୋଦିଙ୍କର ମନେ ପଡିଲା ତାକୁ ନେଇ ବିରୋଧୀ ମଧ୍ୟ ଶାସକ ଦଳକୁ ଘେରିଛନ୍ତି । କେବଳ କେରାନା ନୁହେଁ ବରଂ ୨୦୧୯ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ମୋଦିଙ୍କର ଏହି ଗୋଟି ଚାଳନା କାମ କରିବ ବୋଲି ଚର୍ଚ୍ଚା ହେଉଛି । କାରଣ କାଏରାନାରେ ବିଏସପି-ଏସପି ମେଣ୍ଟ କୁ ନଜରରେ ରଖି ଏଭଳି ଜାତିଆଣ କାର୍ଡ ଖେଳିଛନ୍ତି ମୋଦି ।

ବିଜେପିର ପ୍ରୟାସ ଯେ କିଭଳି ସପା ଓ ବସପାର ଭୋଟ ବ୍ୟାଙ୍କକୁ ଭାଙ୍ଗି ନିଜ ଆଡକୁ ଆଣିବା । ବିଜେପି ଯେଉଁଭଳି ୨୦୧୪ ଲୋକସଭା ନିର୍ବାଚନରେ ବହୁମତ ପାଇଥିଲା । ସେହିଭଳି ୨୦୧୯ ନିର୍ବାଚନ ପାଇଁ ମଧ୍ୟ ବହୁମତ ପାଇବାର ଆଶା ରଖିଛି ବିଜେପି ସରକାର । କିନ୍ତୁ କର୍ଣ୍ଣାଟକ ନିର୍ବାଚନରେ ଯେଉଁ ଫଳାଫଳ ସାମ୍ନାକୁ ଆସିଛି ତାକୁ ଦେଖି ହୁଏତ ବିଜେପି ଶିବିରରେ ଭୟ ଖେଳିଯାଇଛି । ତେଣୁ ୨୦୧୯ ନିର୍ବାଚନ ହୁଏତ ବିଜେପି ପାଇଁ କଷ୍ଟ ସାଧ୍ୟ ହେବ ବୋଲି ପଛୁଆ ବର୍ଗଙ୍କ କଥା ମୋଦି ମନେପକାଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।