କନକ ବ୍ୟୁରୋ: କିଭଳି ଅଛି ଲେହରେ ଭାରତୀୟ ସେନାର ସ୍ଥିତି, ଆଜି ଏ ବାବଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିସ୍ତୃତ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ। ପ୍ରାୟ ଅଧ ଘଣ୍ଟାର ବୈଠକରେ ଉଭୟଙ୍କ ମଧ୍ୟରେ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଭାରତ ଏବଂ ଚୀନ୍ ମଧ୍ୟରେ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ବୋଲି ସମ୍ଭାବନା ପ୍ରକାଶ ପାଇଛି।
Prime Minister @narendramodi called on President Kovind and briefed him on the issues of national and international importance at Rashtrapati Bhavan today. pic.twitter.com/yKBXCnfboE
— President of India (@rashtrapatibhvn) July 5, 2020
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନ ପୂର୍ବରୁ ଲେହରୁ ଫେରିଛନ୍ତି। ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ହଠାତ୍ ଲେହରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଚାନକ ଲଦାଖ୍ ଗସ୍ତ କରି ଆଗୁଆ ଘାଟି ଅଞ୍ଚଳ ପରିଦର୍ଶନ କରିବା ସହ ଯବାନଙ୍କୁ ଉଦବୋଧନ ଦେଇଥିଲେ । ଗଲୱାନରେ ଚୀନ୍ ସେନା ସହ ସଂଘର୍ଷରେ ଆହତ ଯବାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ଭେଟି ସେମାନଙ୍କ ଉତ୍ସାହ ବଢ଼ାଇଥିଲେ ।
ପରେ ଯବାନମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମର ବୀର ଯବାନ ଗଲୱାନ ଘାଟିରେ ଅଦମ୍ୟ ସାହସ ଏବଂ ସେମାନଙ୍କ ପରାକ୍ରମର ପରାକାଷ୍ଠା ଦେଖାଇଛନ୍ତି। ଦେଶବାସୀ ଆପଣମାନଙ୍କ ପାଇଁ ଗର୍ବିତ। ସମଗ୍ର ଲଦାଖ୍ ଭାରତୀୟ ସେନାର ପରାକ୍ରମ ଓ ବୀରତ୍ବର ପ୍ରମାଣକୁ ବହନ କରୁଛି। ଚୀନକୁ କଡ଼ା ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ବିସ୍ତାରବାଦର ଯୁଗ ସମାପ୍ତ ହୋଇଯାଇଛି। ଏବେ ବିକାଶର ଯୁଗ ଚାଲିଛି। ଇତିହାସ ସାକ୍ଷୀ ଅଛି, ବିସ୍ତାରବାଦୀ ଶକ୍ତିମାନେ ସର୍ବଦା ପରାଜିତ ହୋଇଛନ୍ତି କିମ୍ବା ପଛକୁ ହଟିବା ପାଇଁ ବାଧ୍ୟ ହୋଇଛନ୍ତି।