ଜାପାନରେ ପ୍ରଧାନମନ୍ତ୍ରୀ ମୋଦୀ ।  ମୋଦୀ ନାରାରେ କମ୍ପିଲା ଟୋକିଓ ।

110

କନକ ବ୍ୟୁରୋ:  ସୋମବାରଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ଜାପାନ ଗସ୍ତ ଆରମ୍ଭ ହୋଇଛି । ଗସ୍ତର ପ୍ରଥମ ଦିନରେ ଟୋକିଓରେ ପହଁଚିବାପରେ ମୋଦିଙ୍କୁ ଭବ୍ୟସ୍ୱାଗତ ଓ ସମ୍ବର୍ନ୍ଧନା ପ୍ରଦାନ କରାଯାଇଛି । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି । ମଙ୍ଗଳବାର କ୍ୱାଡ ସମ୍ମିଳନୀରେ ଯୋଗ ଦେବା ସହ  ଆମେରିକା,ଜାପାନ ଓ ଅଷ୍ଟ୍ରେଲିଆ ରାଷ୍ଟ୍ରମୁଖ୍ୟଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ମୋଟ ୪୦ ଘଂଟାର ଜାପାନ ରହଣୀ ସମୟରେ ୨୩ଟି ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।

ମୋଦି ମୋଦି ନାରା ସହ ଭାରତ ମାତା କି ଜୟ, ବନ୍ଦେ ମାତରମ ନାରାରେ କମ୍ପିଲା ଜାପାନ ରାଜଧାନୀ ଟୋକିଓର ହୋଟେଲ ନିଉ ଓତାନି । ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ଜଣାଥିଲେ ଜାପାନରେ ରହୁଥିବା ପ୍ରବାସୀ ଭାରତୀୟ । କାର୍ଯ୍ୟକ୍ରମର ସ୍ଥଳର ଦୁଇ ପାଶ୍ୱର୍ରେ ପ୍ରବାସୀ ଭାରତୀୟମାନେ ଭିଡ ଜମାଇ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିବାବେଳେ ମୋଦି ମଧ୍ୟ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ  । ସୋମବାର ଟୋକିଓରେ ପହଁଚିବାପରେ ମୋଦିଙ୍କ ରହଣୀସ୍ଥଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ସେପଟେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଖୁସି ପ୍ରକାଶ କରିଛନ୍ତି ଜାପାନରେ ରହୁଥିବା ପ୍ରବାସୀ ଭାରତୀୟ ।

ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ ଭାରତର ବିକାଶ ଯାତ୍ରାରେ ଜାପାନର ଏକ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଦୁଇ ଦେଶ ପରସ୍ପରର ପ୍ରକୃତ ସହଯୋଗୀ ଓ ଉଭୟ ଦେଶ ମଧ୍ୟରେ ଆଧ୍ୟାତ୍ମିକତା ଓ ସହଯୋଗର ବନ୍ଧନ ରହିଛି ।  ସେହିପରି ପ୍ରବାସୀଙ୍କ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ସଂପ୍ରଦାୟ ଦୁଇ ଦେଶ ମଧ୍ୟରେ ସର୍ମ୍ପକକୁ ଅଧିକ ମଜବୁତ କରୁଛି । ବିଶ୍ୱ ସମସ୍ୟାର ସମାଧାନ ପାଇଁ ଭଗବାନ ବୁଦ୍ଧଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଅନୁସରଣ କରିବା ଉଚିତ ବୋଲି କାର୍ଯ୍ୟକ୍ରମରେ ମୋଦି କହିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ  ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡାଙ୍କ ସହ ଇଣ୍ଡୋ ପେସିଫିକ ଇକୋନୋମିକ ଫ୍ରେମୱାର୍କ କାର୍ଯକ୍ରମରେ ଯୋଗ ଦେଇଥିଲେ ।