ବିଦେଶରୁ ଫେରିଲେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ। ଅଷ୍ଟ୍ରେଲିଆର ଉଦାହରଣ ଦେଇ ଦେଖାଇଲେ ଆଇନା

289

କନକ ବ୍ୟୁରୋ: ସଂସଦ ଭବନ ଉଦଘାଟନୀକୁ ନେଇ ରାଜନୀତି ଜାରି ରହିଛି । ଆଉ ଏହାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ସାମ୍ନାକୁ ଆସିଛି । ତିନି ଦେଶର ଗସ୍ତ ଶେଷ କରି ଭାରତ ଫେରିବା ପରେ ବିମାନ ବନ୍ଦରରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ଅଷ୍ଟ୍ରେଲିଆରେ ସରକାରୀ କାର୍ଯ୍ୟକ୍ରମରେ ବିରୋଧୀ ସାମିଲ ହୁଅନ୍ତି । ଏବଂ ଏହା ହିଁ ଗଣତନ୍ତ୍ରର ଶକ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଷ୍ଟ୍ରେଲିଆରେ ଆୟୋଜିତ କଥାକୁ ମନେ ପକାଇ ମୋଦୀ କହିଛନ୍ତି, ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେବଳ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ନୁହେଁ ବରଂ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ବିରୋଧୀ ମଧ୍ୟ ସାମିଲ ହୋଇଥିଲେ । ଏବଂ ଏହା ହିଁ ଗଣତନ୍ତ୍ରର ଶକ୍ତି ବୋଲି କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ସେପେଟ ମୋଦୀଙ୍କ ବୟାନକୁ ନେଇ ପାଲଟା ଆକ୍ରମଣ କରିଛି କଂଗ୍ରେସ । କଂଗ୍ରେସ କହିଛି ମୋଦୀ ସବୁବେଳେ ଗଣତନ୍ତ୍ରର ପରମ୍ପରା ଭାଙ୍ଗନ୍ତି । ସେହିପରି ବରିଷ୍ଠ କଂଗ୍ରେସ ନେତା ରାଶିଦ ଅଲଭି ମୋଦୀଙ୍କ ଦ୍ୱାରା ସଂସଦ ଭବନ ଉଦଘାଟନକୁ ନେଇ ବର୍ଷିଛନ୍ତି । କହିଛନ୍ତି, ସଂସଦ ଭବନକୁ ଯଦି ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ଉଦଘାଟନ କରାଯାଇଥାନ୍ତା, ତେବେ ଭଲ ହୋଇଥାନ୍ତି । କିନ୍ତୁ ମୋଦୀ ସରକାର ବୀର ସାବରକରଙ୍କ ଜୟନ୍ତୀରେ ଏହାର ଉଦଘାଟନ କରି କ’ଣ ବାର୍ତା ଦେବାକୁ ଚାହୁଁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଜାପାନ, ପାପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିବା ପରେ ଗୁରୁବାର ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ କର୍ମକର୍ତାଙ୍କ ସମେତ ଶତାଧିକ ଲୋକେ ତାଙ୍କର ଭବ୍ୟ ସ୍ୱାଗତ କରିଥିଲେ ।