ଚଣ୍ଡିଖୋଲରେ ମୋଦୀ ଗ୍ୟାରେଣ୍ଟି ଦେଲେ ପ୍ରଧାନମନ୍ତ୍ରୀ । କଂଗ୍ରେସ ଓ ଇଣ୍ଡିଆ ମେଂଟକୁ କଲେ ସମାଲୋଚନା । ବିଜେଡି କି ନବୀନଙ୍କ ପ୍ରତି ଦେଖାଇଲେନି ଆକ୍ରମଣାତ୍ମକ ଆଭିମୁଖ୍ୟ

150

କନକ ବ୍ୟୁରୋ: ବିଜେଡି-ବିଜେପି ମେଣ୍ଟ ହେବା ନେଇ ଚର୍ଚ୍ଚା ଭିତରେ ଆଜି ମୋଦୀଙ୍କ ଗସ୍ତ ଉପରେ ନଜର ରହିଥିଲା । କାରଣ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥାନ୍ତା, ୨୦୨୪ ନିର୍ବାଚନରେ ବିଜେଡି ସହ କେମିତି ଲଢିବ ବିଜେପି । ହେଲେ ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଭିମୁଖ୍ୟର ସମାନତା ଚଣ୍ଡିଖୋଲରେ ଦେଖିବାକୁ ମିଳିଛି । ମୋଦୀ ଗ୍ୟାରେଣ୍ଟି ସମାବେଶରେ କଂଗ୍ରେସ ଉପରେ ବର୍ଷିଥିବା ବେଳେ ବିଜେଡି ବିରୋଧରେ ପଦୁଟିଏ କହିନାହାନ୍ତି ମୋଦୀ । ଯାହା ଦୁଇ ଦଳର ସଂପର୍କକୁ ନେଇ ଦ୍ୱନ୍ଦ୍ୱକୁ ଆହୁରି ବଢାଇ ଦେଇଛି ।

ଆଜି ମୋଦୀ ଜୟ ଜଗନ୍ନାଥ ନାରା ଦେଇ ଗ୍ୟାରେଣ୍ଟି ସମାବେଶରେ, ଭାବ ପ୍ରବଣତାର ପରିବେଶ ସୃଷ୍ଟି କରିଥିଲେ । କିନ୍ତୁ ମୋଦୀଙ୍କର ପୁରା ସମ୍ବୋଧନରେ ନା’ ବିଜେଡି ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ଥିଲା, ନା’ ଚର୍ଚ୍ଚା ହେଉଥିବା ମେଣ୍ଟର କୌଣସି ସଙ୍କେତ ଦେଇଥିଲେ ନରେନ୍ଦ୍ର ମୋଦୀ । ଚଣ୍ଡିଖୋଲ ସମାବେଶକୁ ସମ୍ବଲପୁର ସମାବେଶର ଏକ ପ୍ରକାର ପୁନରାବୃ୍ତ୍ତି କହିଲେ ହୁଏତ ଭୁଲ ହେବ ନାହିଁ । ସେଠି ଯେମିତି କଂଗ୍ରେସ ଓ ଇଣ୍ଡିଆ ମେଣ୍ଟକୁ କଟାକ୍ଷ ଭିତରେ ସୀମିତ ରହିଯାଇଥିଲା ମୋଦୀଙ୍କ ଆକ୍ରମଣ, ଚଣ୍ଡିଖୋଲରେ ମଧ୍ୟ କାହାଣୀର ପୁନଃ ପ୍ରସାରଣ ଭଳି ଅନୁଭବ ହୋଇଥିଲା । ପ୍ରାୟ ୪୫ ମିନିଟର ମୋଦୀଙ୍କ ସମ୍ବୋଧନକୁ ଯଦି ୩ଟି ଭାଗରେ ବିଭକ୍ତ କରାଯାଏ ତେବେ…

  • କଂଗ୍ରେସକୁ ଧୋଇଲେ
  • ବିଜେଡିକୁ ଛାଡ଼ିଲେ
  • ଓଡ଼ିଶାର ବିକାଶ କଥା କହିଲେ

ଓଡ଼ିଶାକୁ ଭାରତର ବିକାଶ ପଥ କହି ବିକାଶ କାର୍ଯ୍ୟ ରାଜ୍ୟର ଭାଗ୍ୟ ବଦଳାଇ ଦେବ ବୋଲି ଗ୍ୟାରେଣ୍ଟି ସମାବେଶରେ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେଡିକୁ ସିଧାସଳଖ ଟାର୍ଗେଟ୍ କରିନାହାନ୍ତି ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହି ପ୍ରଶଂସା କରିଛନ୍ତି । ତେବେ କଂଗ୍ରେସ ସହ ଇଣ୍ଡିଆ ମେଣ୍ଟକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । କହିଛନ୍ତି, କିଛି ଲୋକଙ୍କୁ ବିଜେପିର ନୀତି ପସନ୍ଦ ଆସୁନି । କାରଣ ନିଜ ସିନ୍ଧୁକ ଭର୍ତି କରିବାରେ ବିଶ୍ୱାସ କରୁଛନ୍ତି । ତେବେ ପୂର୍ବ ଭାରତ ମୁଡ୍ ବଦଳୁଥିବା କହି ଏଥର ୪୦୦ ପାରର ନାରା ଦେଇଛନ୍ତି ।

ଚଣ୍ଡିଖୋଲ ସମାବେଶରେ ବି ପରିବାର ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ଇଣ୍ଡିଆ ମେଣ୍ଟକୁ ଇସାରା କରି କହିଛନ୍ତି, କିଛି ଲୋକ କହୁଛନ୍ତି, ମୋଦୀର ପରିବାର ନାହିଁ । କାରଣ ଇଣ୍ଡିଆ ମେଣ୍ଟର ବିଚାରଧାରା ହେଉଛି ପରିବାର ପ୍ରଥମେ । କିନ୍ତୁ ମୋଦୀଙ୍କ ବିଚାରଧାରା ହେଉଛି, ଦେଶ ପ୍ରଥମେ । ଆଉ ପୂରା ଦେଶ ହେଉଛି ମୋଦୀର ପରିବାର ।

ତେବେ ରାଜନୀତିର ଏହି ଜନସମାବେଶ ଉପରେ ସାରା ଓଡ଼ିଶାର ନଜର ଥିଲା । କାରଣ ମୋଦୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଅନେକ କିଛି ଆକଳନ, ଅନୁମାନ କରାଯାଉଥିଲା । ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ସବୁ କିଛି ଚର୍ଚ୍ଚା ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି ।