ବିଜେପି ପାଇଁ ମାରାଥନ ପ୍ରଚାର କଲେ ପ୍ରଧାନମନ୍ତ୍ରୀ: ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜନସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍

937

କନକ ବ୍ୟୁରୋ: ସିଂହାସନ ଦଖଲ ପାଇଁ ଆଜି ଓଡିଶାରେ ମାରାଥନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ, ରାଜ୍ୟ ସରକାର ଓ ବିଜେଡି ଉପରେ ଜୋରଦାର ବର୍ଷିଛନ୍ତି । ମଂଚ ଉପରୁ ରତ୍ନଭଣ୍ଡାର ଚାବିଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା କଥା ଉଠାଇଛନ୍ତି ମୋଦୀ ।

ଶେଷ ପର୍ର୍ଯ୍ୟାୟରେ ହେବାକୁ ଯାଉଥିବା ସଂସଦୀୟ କ୍ଷେତ୍ରରେ ପ୍ରଚାର କରି ବିଜେପି ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସବୁ ମଂଚରୁ ବିଜେଡି ସରକାର ଉପରେ ବର୍ଷିଛନ୍ତି । ଏବଂ ବିଜେଡିର ୨୫ବର୍ଷର ଶାସନରେ ରୋକ୍ ଲଗାଇବାକୁ ଓଡିଶାବାସୀଙ୍କୁ ଅପିଲ କରିଛନ୍ତି । ଏଥିସହ ଅସ୍ମିତାର କଥା କହି, ଓଡିଶାର ମୁଖ୍ୟମନ୍ତ୍ରୀ ଓଡିଆ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବିଜେପି ସରକାର କେମିତି ନାରୀ ସଶକ୍ତିକରଣ, ଆଦିବାସୀ, ଗରିବଙ୍କ ପାଇଁ କାମ କରୁଛି ତାର ଉଦାହରଣ ରଖିଛନ୍ତି । ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ବିଜେପି ସରକାର ଆସିଲେ ବିଜୁଳି ବିଲ ଶୂନ ହେବ ବୋଲି ମଂଚ ଉପରୁ କହିଛନ୍ତି । ଶେଷରେ ଲୁଟ୍ ହୋଇଥିବା ଟଙ୍କା ଗୋଟି ଗୋଟି ଆଦାୟ ହେବ ବୋଲି ଗ୍ୟାରେଂଟି ଦେଇଛନ୍ତି ମୋଦୀ । ମୋଦୀଙ୍କ ମାରାଥନ ପ୍ରଚାର ଓଡିଶାର ରାଜନୈତିକ ଉଷ୍ଣତାକୁ ବଢ଼ାଇ ଦେଇଛି । ଏଥିସହ ଓଡିଶାରେ ଶେଷ ହୋଇଛି ଚଳିତ ନିର୍ବାଚନ ପାଇଁ ମୋଦୀଙ୍କ ପ୍ରଚାର ।