ଇଂଲଣ୍ଡକୁ ଫେରିଲା ଲକଡାଉନ : ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟରେ ରଖି ପ୍ରଧାନମନ୍ତ୍ରୀଙ୍କ ଘୋଷଣା; ଡିସେମ୍ବର ୨ ତାରିଖ ଯାଏଁ କଟକଣା ବଳବତ୍ତର

ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ

264

କନକ ବ୍ୟୁରୋ : ଇଂଲଣ୍ଡକୁ ଫେରିଲା ଲକଡାଉନ । ପ୍ରଧାନମନ୍ତ୍ରୀ ବୋରିସ ଜୋନସନ ୨ ଡିସେମ୍ବର ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ଇଂଲଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ତେବେ ଏହି ସମୟରେ ସ୍କୁଲ ଓ କଲେଜ ଖୋଲା ରହିବ । ତେବେ ରେସ୍ତୋରାଁ, ପବ , ହୋଟେଲ ବନ୍ଦ ରହିବ । ଲୋକଙ୍କ ଯିବା ଆସିବା ଉପରେ ବି ପ୍ରତିବନ୍ଧକ ଲଗାଯାଇଛି । ଗୋଟିଏ ମାସରେ ଲକଡାଉନ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

ଇଂଲଣ୍ଡରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବୈଠକରେ ଚିନ୍ତାପ୍ରକଟ କରାଯାଇ ଲକଡାଉନ କରିବାକୁ ନିଷ୍ପତ୍ତି ହୋଇଥିଲା । ବ୍ରିଟେନରେ ପ୍ରତ୍ୟେକ ଦିନ ୨୦ ହଜାରରୁ ଅଧିକ ଆକ୍ରାନ୍ତ ସାମ୍ନାକୁ ଆସୁଛି । କେବଳ ଇଂଲଣ୍ଡରେ ୨୪ ଘଂଟାରେ ପାଖାପାଖି ୩୦ ହଜାର ନୂଆ ମାମଲା ସାମ୍ନାକୁ ଆସିଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ଏ ନେଇ ନିଜର ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୪ ସପ୍ତାହ ପରେ ଏ ନେଇ ସମୀକ୍ଷା କରାଯିବ ।

ଏଥିରେ କୁହାଯାଇଛି , ଆବଶ୍ୟକ ପଡିଲେ ଘରୁ ବାହାରନ୍ତୁ । ନ ହେଲେ ଘରୁ କାମ କରନ୍ତୁ । ଆବଶ୍ୟକ ନଥିଲେ ଯାତ୍ରା ନ କରିବାକୁ ବି ପରାମର୍ଶ ଦିଆଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ, ବ୍ୟାୟାମ ଓ ଜରୁରୀ କାମ ପଡିଲେ ହିଁ ଘରୁ ବାହାରିବାକୁ ସ୍ଥାନୀୟ ସରକାର ପରାମର୍ଶ ଦେଇଛନ୍ତି ।