ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ, ୬ ଦିନ ହେଲା ସ୍କୁଲରେ ପଡ଼ିଛି ତାଲା । ଲକ୍ଷ ଲକ୍ଷ ପିଲାଙ୍କ ପାଠପଢ଼ା ଠପ୍ । ସରକାର ଦେଖାଇଲେ ନାଲିଆଖି, ଦେଲେ କାର୍ଯ୍ୟାନୁଷ୍ଠାନ ଧମକ

175

କନକ ବ୍ୟୁରୋ: ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ୬ ଦିନରେ ପହଞ୍ଚିଛି । ସାରା ରାଜ୍ୟର ପ୍ରାୟ ୧ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ ତିନି ଦଫା ଦାବି ନେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଶିକ୍ଷକମାନେ ଆନ୍ଦୋଳନ ଚଳାଇଥିବାରୁ ୫୦ ହଜାରରୁ ଅଧିକ ସ୍କୁଲରେ ତାଲା ଝୁଲୁଛି । ପିଲା ଆସୁଥିଲେ ବି ତାଲା ପଡିଥିବାରୁ ଫେରିବାକୁ ବାଧ୍ୟ ହେଉଛନ୍ତି । କିଛି ସ୍ଥାନରେ ପିଲାମାନେ ରାସ୍ତା ଉପରେ ଖେଳୁଥିବା ଦେଖିବାକୁ ମିଳିଛି । ଆଉ କିଛି ଜାଗାରେ ସ୍କୁଲ ଜଗିଛନ୍ତି ପାଚିକା । ପାରୁ ପର୍ଯ୍ୟନ୍ତ ଛୋଟ ଛୋଟ ପିଲାଙ୍କୁ ପାଠ ବି ପଢ଼ାଉଥିବା ଦେଖିବାକୁ ମିଳିଛି ।

  • ଏପଟେ ନାଲିଆଖି, ସେପଟେ ଅନୁରୋଧ
  • ଜିଦରେ ଅଟଳ ଆନ୍ଦୋଳନକାରୀ ଶିକ୍ଷକ

ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ପଠାଯାଇଥିବା ଚିିଠିରେ ଆନ୍ଦୋଳନରତ ଶିକ୍ଷକଙ୍କୁ ଆନ୍ଦୋଳନ ବନ୍ଦ କରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କୁହାଯାଇଛି, ଧାରଣା ପାଇଁ ଅଧିକାଂଶ ଶିକ୍ଷକ ଅନୁମତି ନେଇ ନାହାନ୍ତି । ଶିକ୍ଷକମାନେ ବର୍ଷକୁ ୨୨୦ ଦିନ ସ୍କୁଲକୁ ଆସିବା ବାଧ୍ୟତାମୂଳକ । ଏଥିରେ ବ୍ୟତିକ୍ରମ ଦେଖାଦେଲେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ସରକାର ଶିକ୍ଷକମାନଙ୍କୁ ବୁଝେଇବାକୁ ଯାଇ କହିଛନ୍ତି, ଏକ ସବକମିଟି ଗଠନ କରାଯାଇଛି । କମିଟି ଶିକ୍ଷକଙ୍କ ତିନିଟି ଦାବି ଉପରେ ତର୍ଜମା କରିବ । କମିଟି ରିପୋର୍ଟ ଦେବା ପରେ ଶିକ୍ଷକଙ୍କ ଦାବି ଉପରେ ଚୂଡାନ୍ତ ନିଷ୍ପତି ନିଆଯିବ । ତେବେ ସରକାରଙ୍କ ଚିଠିକୁ ଡରି ନଯାଇ ଜିଦରେ ଅଟଳ ରହିଛନ୍ତି ଶିକ୍ଷକ । କହିଛନ୍ତି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ତେବେ ଏଭଳି ସ୍ଥିତି ପାଇଁ ଉଦବେଗ ପ୍ରକାଶ କରିବା ସହ ଚେତାବନୀ ଦେଇଛି ଅଭିଭାବକ ମହାସଂଘ ।

ଅନ୍ୟପଟେ ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ତେବେ ବିଜେଡି ନେତା ସୁବାଷ ସିଂ କହିଛନ୍ତି, ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ତେବେ ଗୋଟିଏ ପଟେ ଘରୋଇ ସ୍କୁଲରେ ପିଲାଙ୍କ ଷାଣ୍ମାଷିକ ପରୀକ୍ଷା ଚାଲିଥିବାବେଳେ, ଅନ୍ୟପଟେ ସରକାରୀ ବିଦ୍ୟାଳୟରେ ପାଠ ପଢ଼ା ବନ୍ଦ ହେବାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।