କନକ ବ୍ୟୁରୋ: ସ୍ଥାୟୀ ହେଲେ ରାଜ୍ୟର ୫୭ ହଜାର ଠିକା କର୍ମଚାରୀ, ହେଲେ ବାଦ୍ ପଡିଲେ ପ୍ରାଥମିକ ଶିକ୍ଷକ । ଠିକା ନିଯୁକ୍ତି ବ୍ୟବସ୍ଥାକୁ ରାଜ୍ୟ ସରକାର ଉଚ୍ଛେଦ କରିବା ପରେ ଅନେକ ପ୍ରଶଂସା ସାଉଁଟିଲେ । ଆଉ ଏବେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ବାହାରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ୧୫ ଦିନ ଭିତରେ ପ୍ରାଥମିକ ଶିକ୍ଷକଙ୍କର ଠିକା ନିଯୁକ୍ତି ଉଛେଦ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା ସଂଘ ।

Advertisment
  • କଳା ବ୍ୟାଜ୍ ପିନ୍ଧିଲେ ପ୍ରାଥମିକ ଶିକ୍ଷକ
  • ଠିକା ନିଯୁକ୍ତି ଉଚ୍ଛେଦ ପାଇଁ ତେଜିଲା ଦାବି 

ବିଦ୍ୟାଳୟ  ଭିତରେ ଓ ବାହାରେ ଚାଲିଛି ପ୍ରତିବାଦ । କଳା ବ୍ୟାଚ ପିନ୍ଧି ସରକାରଙ୍କ ନିଷ୍ପତ୍ତି ବିରୋଧରେ ଏକାଠି ହେଲେ ପ୍ରାଥମିକ ଶିକ୍ଷକ ।  ରାଜ୍ୟର ୫୭ ହଜାର ଠିକା କର୍ମଚାରୀଙ୍କୁ ରାଜ୍ୟ ସରକାର ସ୍ଥାୟୀ କରିଥିବାବେଳେ ଏଥିରୁ ବାଦ ପଡିଛନ୍ତି ପ୍ରାଥମିକ ଶିକ୍ଷକ । ଏହାକୁ ବିରୋଧ କରି ପ୍ରତିବାଦ କରିଛନ୍ତି ପ୍ରାଥମିକ ଶିକ୍ଷକ ।  ତେବେ ୭୦ହଜାରରୁ ଅଧିକ ଶିକ୍ଷକ ନିଜ ଭବିଷ୍ୟତକୁ ନେଇ ଏବେ ଆଶା ଆଶଙ୍କାରେ ରହିଛନ୍ତି । ଠିକା ନିଯୁକ୍ତି ଉଚ୍ଛେଦ କରିବାକୁ ଦାବି କରିଛି ସଂଘ । ୧୫ଦିନରେ ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ସହ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଚେତାବନୀ ଦେଇଛି ।

ସେପଟେ ସ୍ଥାୟୀ ନିଯୁକ୍ତି ଦାବିରେ ୯ ଦିନ ହେଲା ଆନ୍ଦୋଳନ କରୁଛନ୍ତି ମୟୂରଭଞ୍ଜ ଜିଲ୍ଲାରେ ଅଲଚିକି ଓ ମୁଣ୍ଡାରୀ ଭାଷା ଶିକ୍ଷକ । ସମାଧାନର ରାସ୍ତା ନବାହାରିବାରୁ ଜିଲ୍ଲା ପଷ୍ଠଳୂ ଅଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି । ତେବେ ଠିକା ନିଯୁକ୍ତି ବ୍ୟବସ୍ଥାକୁ ସରକାର ଉଚ୍ଛେଦ କରିବା ପରେ ଯେଉଁମାନେ ଏଥିରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି ।