କନକ ବ୍ୟୁରୋ: ଛିଣ୍ଡୁନି ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ବିବାଦ । ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଘୋଷଣା କରିଥିବାବେଳେ, ପ୍ର୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଜିଦରେ ଅଟଳ ରହିଛି । ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ କହିଛି , ସରକାରଙ୍କ କଥାରେ ସେମାନେ ଏକମତ ନୁହନ୍ତି । ସେଥିପାଇଁ ସେମାନଙ୍କୁ ଆଲୋଚନାରେ ସାମିଲ କରାଗଲାନି । ୩ ଦଫା ଦାବିରେ ଏବେ ବି ଅଟଳ ଅଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛି । ଏବଂ ଆଜି କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି କହିଛନ୍ତି ସଂଘର ସଭାପତି । ଯାହା ନୂଆ ବିବାଦ ସୃଷ୍ଟି କରିଛି ।

Advertisment

ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ହୋଇଥିଲା । ଫାଇଭ-ଟି ସଚିବ ଭର୍ଚୁଆଲ ବୈଠକରେ ସାମିଲ ହୋଇଥିବାବେଳେ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଆଲୋଚନାରେ ଭାଗ ନେଇଥିଲେ । ଆଲୋଚନା ପରେ ୯ଟି ଶିକ୍ଷକ ସଂଗଠନ ଡିସେମ୍ବର ମାସ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ । ସୂଚନା ଅନୁସାରେ ବୈଠକରେ ୯ଟି ଶିକ୍ଷକ ସଂଘର ପ୍ରାୟ ୮୦ ଜଣ ପ୍ରତିନିଧି ସାମିଲ ହୋଇଥିଲେ । ହେଲେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସାମିଲ ହୋଇନଥିଲା । ଆଲୋଚନା ନୁହେଁ, ସିଧାସଳଖ ଶିକ୍ଷକ ଦାବି ପୂରଣ କରାଯାଉ ବୋଲି ଦାବି କରି ଆସୁଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ମୁଖ୍ୟତଃ ଗ୍ରେଡ-ପେ ବୃଦ୍ଧି, କଳା, କ୍ରିଡା ଶିକ୍ଷକଙ୍କ କ୍ୟାରିୟର ଆଡଭାନ୍ସ ପଲିସି, ଏକ୍ସ କ୍ୟାଡରଙ୍କୁ ରେଗୁଲାର କରିବା ଏବଂ ଓଲ୍ଡ ପେନସନ୍ ଲାଗୁ କରିବା ଭଳି ଦାବି ନେଇ ଶିକ୍ଷକ ଆନ୍ଦୋଳନ କରୁଥିଲେ ।