କନକ ବ୍ୟୁରୋ : ଜେଲ ଭିତରେ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ପରେ ପ୍ରେସମିଟ୍ କରି ଏବାବଦରେ ଟିକିନିକି ତଥ୍ୟ ରଖିଛନ୍ତି ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର । ସେ କହିଛନ୍ତି, ଜେଲରେ ୭୧ ଜଣ କଏଦୀ ଥିଲେ । ୱାର୍ଡର ଅକ୍ଷୟ ମହାନ୍ତି ସକାଳେ ଦାୟିତ୍ୱରେ ଥିଲେ । ଜେଲର ୧୦ଟା ୩୦ ବେଳକୁ ଆସି ଗୋବିନ୍ଦଙ୍କୁ ଖୋଜିବା ପରେ ଗୋବିନ୍ଦ ଆତ୍ମହତ୍ୟା କରିଥିବା କଥା ଜାଣିବାକୁ ପାଇଥିଲେ । ରୋଷେଇ ଘର ପଛପଟେ ଆତ୍ମହତ୍ୟା କରିଥିଲେ ଗୋବିନ୍ଦ । ତେଣୁ କର୍ତ୍ତବ୍ୟରେ ଅବହେଳା ପାଇଁ ୱାଡର ଅକ୍ଷୟ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି ।

Advertisment

ସବୁ କଏଦୀ ଓ ଜେଲ କର୍ମଚାରୀଙ୍କ ସହ ଗୋବିନ୍ଦଙ୍କର ଭଲ ସମ୍ପର୍କ ଥିଲା । ଗୋବିନ୍ଦ ଆତ୍ମହତ୍ୟା କଲା ବେଳେ ଜଣେ କଏଦୀ ତାଙ୍କୁ ଦେଖିଥିଲେ । ସମସ୍ତଙ୍କୁ ଡାକି ଗୋବିନ୍ଦଙ୍କ ପାଖରେ ପହଞ୍ଚିବା ବେଳକୁ ବେକରେ ଗାମୁଛା ଦେଇ ଝୁଲିପଡିଥିଲେ ଗୋବିନ୍ଦ । ଜଣେ ୱାର୍ଡର ଥିବାରୁ ଠିକ୍ ଢଙ୍ଗରେ ସବୁ କଏଦୀଙ୍କ ଉପରେ ନଜର ରଖିପାରିନଥିଲେ । ଯେଉଁଠି ଗୋବିନ୍ଦ ଆତ୍ମହତ୍ୟା କରିଥିଲେ ସେଠାରେ ସିସିଟିଭି ନଥିଲା । ଘଟଣାସ୍ଥଳରୁ ୨ଟା ଗାମୁଛା ଓ ଗୋଟିଏ ସ୍ଲିପର ପାଇଛନ୍ତି ତଦନ୍ତକାରୀ ଅଧିକାରୀ । ନିଜ ଗାମୁଛାରେ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ । ଏନେଇ ଏବେ ତଦନ୍ତ ଚାଲିଛି । ତଦନ୍ତ ଶେଷ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପ୍ରାଥମିକ ରିପୋର୍ଟରେ ଗୋବିନ୍ଦଙ୍କ ପକେଟରେ କୌଣସି ଲଫାପା ଥିବା ନେଇ ଉଲ୍ଲେଖ କରାଯାଇନାହିଁ । ଏପରିକି ଆତ୍ମହତ୍ୟାର ପୂର୍ବଦିନ ରାତିରେ ସ୍ତ୍ରୀଙ୍କ ସହ ଗୋବିନ୍ଦ କଥା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଥିବା ବେଳେ ଜେଲ ଡିଆଇଜି କହିଛନ୍ତି, ଯଦି ସେମିତି ହୋଇଥାଏ ତେବେ ତଦନ୍ତରେ ସବୁ ସ୍ପଷ୍ଟ ହୋଇଯିବ । ତେବେ ଯଦି ସ୍ତ୍ରୀଙ୍କ ସହ ରାତିରେ ଗୋବିନ୍ଦ କଥା ହୋଇଥିଲେ ତେବେ ତାଙ୍କୁ ଜେଲ ଭିତରେ ମୋବାଇଲ ଦେଲା କିଏ? ନା ନିଜ ପାଖରେ ମୋବାଇଲ ରଖିଥିଲେ ଗୋବିନ୍ଦ । ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ସେହିଭଳି ତାଙ୍କର ସମ୍ପର୍କୀୟ ସକାଳ ୭ଟା ୪୧ରେ କଲ କରିଛନ୍ତି ବୋଲି ଗଣମାଧ୍ୟମ ଆଗରେ କହିଥିବା ବେଳେ କାହା ମୋବାଇଲରେ ଗୋବିନ୍ଦ କଥା ହୋଇଛନ୍ତି ତାହାକୁ ନେଇ ମନରେ ଉଠିଛି ସସପେନ୍ସ ।