କନକ ବ୍ୟୁରୋ : ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବା ୟୁପିଏଚ୍ସିରେ ଚୁଲିକୁ ଗଲାଣି ରୋଗୀ ସେବା । ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର କେତେବେଳେ ଆସୁଛନ୍ତି ଓ ଯାଉଛନ୍ତି ତାହାର କିଛି ନିର୍ଦ୍ଦିଷ୍ଟ ସମୟ ନାହିଁ । ଅଧିକାଂଶ ସମୟରେ ଫାର୍ମାସିଷ୍ଟ ହିଁ ରୋଗୀ ଦେଖୁଛନ୍ତି । ଏଭଳି ଭାବେ ଚାଲିଛି ରାଜଧାନୀରେ ଚାଲିଛି ରୋଗୀ ସେବା ।
ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ ଉପରୁ ରୋଗୀ ଚାପ କମାଇବା ଲାଗି ବିଭିନ୍ନ ସ୍ଥାନରେ ଡିସ୍ପେନସାରି ପ୍ରତିଷ୍ଠା କରାଯାଇଥିଲା । ଯାହାଫଳରେ ସ୍ଥାନୀୟ ଲୋକମାନେ ଅନ୍ୟ ସ୍ଥାନକୁ ନ ଯାଇ ସେଠାରେ ରୋଗୀ ସେବା ପାଇପାରିବେ । ଜାତୀୟ ସ୍ବାସ୍ଥ୍ୟ ମିସନ୍ ଜରିଆରେ ଏସବୁ ଡିସ୍ପେନସାରିଗୁଡ଼ିକୁ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସପ୍ତାହକୁ ଗୋଟିଏ ଦିନ ବିଶେଷଜ୍ଞ ଡାକ୍ତରଙ୍କୁ ରୋଗୀସେବା ପାଇଁ ଦାୟିତ୍ବ ମଧ୍ୟ ଦିଆଯାଉଛି । ୟୁପିଏଚ୍ସି/ୟୁସିଏଚ୍ସିକୁ ସୁଦୃଢ଼ କରିବା ଲାଗି ସରକାରୀସ୍ତ ରରେ ପଦକ୍ଷେପ ନିଆଯାଉଥିଲେ ହେଁ, ତୃଣମୂଳସ୍ତରରେ ଏହାର ଠିକ୍ ଓଲଟା ଦେଖିବାକୁ ମିଳୁଛି ।
ୟୁପିଏଚ୍ସିଗୁଡ଼ିକର ସକାଳ ୮ଟାରୁ ଦିନ ୧୧ଟା ଓ ସଂଖ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ଖୋଲା ଯାଉଛି । ହେଲେ ଜିଜିପି କଲୋନି ମେଡିକାଲ ଅଫିସରଙ୍କ ଦିନ ୧୦ଟାରେ ମଧ୍ୟ ଦେଖା ମିଳୁନି । ଯେଉଁସବୁ ରୋଗୀ ଆସୁଛନ୍ତି ସେମାନଙ୍କୁ ଫାର୍ମାସିଷ୍ଟ ଚିକିତ୍ସା କରୁଛନ୍ତି । ଡାକ୍ତର ମନଇଚ୍ଛା ହସ୍ପିଟାଲକୁ ଆସୁଥିବା ଅଭିଯୋଗ ହେଉଛି । କେତେବେଳେ ଅଧଘଣ୍ଟା ପାଇଁ ତ ଆଉ କେତେବେଳେ ୧୦ମିନିଟ୍ ପାଇଁ । ଇଚ୍ଛା ହେଲେ ରୋଗୀ ଦେଖୁଛନ୍ତି । ମେଡିକାଲ ଅଫିସରଙ୍କ ଏଭଳି ଢଙ୍ଗରେ ମେଡିକାଲକୁ ପରିଚଳନା କରିବାକୁ ନେଇ ହସ୍ପିଟାଲର କର୍ମଚାରୀମାନେ ମଧ୍ୟ ଅସନ୍ତୁଷ୍ଟ ହୋଇ ଗଲେଣି ।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ନିୟମିତ ଭାବେ ଏସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ଅଚାନକ ଯାଞ୍ଚ କରାଯାଉ ନାହିଁ । ଶେଷଥର ଲାଗି କେବେ ଯାଞ୍ଚ ହୋଇଥିଲା ତାହା କେହି ଜାଣି ନାହାନ୍ତି । ଏ ସଂପର୍କରେ ଜିଜିପି କଲୋନି ୟୁପିଏଚ୍ସିର ମେଡିକାଲ ଅଫିସର ଡା.ତିଳ ପ୍ରସାଦ ମିତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳି ନ ଥିଲା । ଏଡିଏମ୍ଓ ଡା.ଭି. ସତ୍ୟନାରାୟଣ ରାଓ କହିଛନ୍ତି ଏ ସଂପର୍କରେ ବୁଝିବା ପରେ ଯାହା କିଛି କହିହେବ ।