ବର୍ଷା ପାଣିରେ ଅଧା ବୁଡ଼ିଛନ୍ତି ଆଖଣ୍ଡଳମଣିର ମଣିବାବାଙ୍କ ବିଗ୍ରହ । ବର୍ଷା ପାଣିକୁ ଭ୍ରୁକ୍ଷେପ ନକରି ପୂଜାରେ ନିମଗ୍ନ ପୂଜକ

270

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଆଖଣ୍ଡଳମଣି ମନ୍ଦିରରେ ଆଣଣ୍ଠୁଏ ଉଚ୍ଚରେ ପାଣି ଜମି ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଛି । ସମୁଦ୍ରରୁ ଉଚ୍ଚ ଜୁଆର ଉଠିବା ଫଳରେ ତଳିଆ ଅଂଚଳରେ ପାଣି ଜମି ରହୁଛି । ତେବେ ଚାନ୍ଦବାଲିର ବହୁ ଅଂଚଳ ଏବେ ଜଳମଗ୍ନ ଅବସ୍ଥାରେ ରହିଛି । ଆଖଣ୍ଡଳମଣି ଆରଡ଼ି ପୀଠରେ ଥିବା ମଣିବାବାଙ୍କ ବିଗ୍ରହ ବୁଡ଼ି ରହିଥିବାରୁ ସକାଳୁ ନୀତିକାନ୍ତି ବିଳମ୍ବ ହୋଇଥିଲା । ମଟରଚାଳିତ ପମ୍ପ ଦ୍ୱାରା ଜଳ ନିସ୍କାଷନ କରାଯାଇଛି ।

ଘନୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହୋଇଛି ଅବପାତ । ଆଜି ସକାଳ ୫ଟା ୩୦ରୁ ୬ଟା ୩୦ ମଧ୍ୟରେ ଏହା ଚାନ୍ଦବାଲି ଦେଇ ସ୍ଥଳଭାଗ ଅତିକ୍ରମ କରିଛି । ଏହା ପଶ୍ଚିମ ଉତର ପଶ୍ଚିମ ଦିଗରେ ଗତି କରି ଉତର ଓଡ଼ିଶା ଅତିକ୍ରମ କରିବ । ୪୮ ଘଂଟା ମଧ୍ୟରେ ଉତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଅତିକ୍ରମ କରିବାର ସମ୍ଭାବନା ରହିଛି । ପରବର୍ତୀ ୨୪ ଘଂଟାରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଆଜି ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଜିଲ୍ଲାପାଳମାନଙ୍କୁ ୨୪ ଘଂଟିଆ କଂଟ୍ରୋଲ ରୁମ୍ ଖୋଲିବା ସହ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଉପକୂଳ ଓଡ଼ିଶାରେ ଘଂଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବାକୁ ଥିବାରୁ ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି ।