ମାଡ଼ି ଆସୁଥିଲା ବାତ୍ୟା, କଳାଠାକୁରକୁ କୋଳେଇ ନେଲା ଭକ୍ତ । ଭରା ପାଣିରେ ଭଗବାନ ଭାସିବେନି ବୋଲି ଭକ୍ତ କଲା ପ୍ରାଣମୂର୍ଚ୍ଛା ଉଦ୍ୟମ। ଭୟଙ୍କର ବାତ୍ୟା ଭିତରେ ଭାଇରାଲ ହେଲା ଭାବର ଫଟୋ ।

469

କନକ ବ୍ୟୁରୋ: ଚାଲ କାଳିଆ ! ଆଉ ଡେରି କରନା… ସମୁଦ୍ର ମାଡି ଆସିଲାଣି, ବାତ୍ୟା ଭୟଙ୍କର ହେଲାଣି । ସମୁଦ୍ରକୂଳ ଆଉ ସୁରକ୍ଷିତ ନୁହେଁ । ଏ ଜୁଆର ସବୁ ଟାଣିନେବ… ତତେ, ମତେ ଭିତରକୁ ଭସେଇ ନେବ । ଏଠି ରହିବା ଅସୁରକ୍ଷିତ, ତତେ ଛାଡି ଯିବା ବି ଅସମ୍ଭବ । ତୁ ଦୁନିଆକୁ ସୁରକ୍ଷା ଦେଉଛୁ, ତତେ କେମିତି ଅସୁରକ୍ଷିତ ଛାଡିଦେବି । ତୁ ତ ମୋ ଘର ଲୋକ, ତତେ ଛାଡି ମୁଁ କେମିତି ଯିବିରେ ? ଆ କାଳିଆ, ଆଶ୍ରୟସ୍ଥଳୀକୁ ଯିବା, ସମୁଦ୍ରକୂଳ ଛାଡି ସୁରକ୍ଷିତ ସ୍ଥାନରେ ରହିବା । ଗୋଟେ ରାତିର ତ କଥା, ବାତ୍ୟା ପଳେଇବ ଆଉ ତୁ ପୁଣି ବେଳାଭୂମିକୁ ଚାଲିଆସିବୁ । ଚାଲ ଚକାଡୋଳା ଆମ ସହ ରହିବୁ, ଆମ ସହ ଖାଇବୁ, ଆମ ସହ ଶୋଇବୁ… ଭଗବାନରୁ ପାଲଟିଯିବୁ ମଣିଷ । ଆଉ ଡେରି କରନା କାଳିଆ, ଡେରି କରନା…

ମାଡି ଆସୁଥିଲା ସମୁଦ୍ର, ଜୁଆର ଛିଟାରେ ଓଦା ହେଉଥିଲା ଛାତି । ପବନ ଭଳି ଛାତିରେ ଝଟକା ଦେଉଥିଲା ଛନକା । ଆଉ ଏତିକି ବେଳେ ସାଆନ୍ତେଙ୍କ କାନରେ ସୁରକ୍ଷାର କଥା କହୁଥିଲା ଭକ୍ତ । ଆସନ୍ନ ବିପତ୍ତି ଆଶଙ୍କାରେ ଖାଁ ଖାଁ ବେଳାଭୂମି, ଶୂନଶାନ ସମୁଦ୍ରକୂଳ । ସମସ୍ତେ ଚାଲିଗଲେଣି ସୁରକ୍ଷିତ ସ୍ଥାନକୁ । ପ୍ରଶାସନ ବି ସାଇରନ ବଜାଇ ପଳେଇ ଯାଅ, ପଳେଇ ଯାଅ ବୋଲି ଡାକୁଛି । ହେଲେ ମୁଁ କୁଆଡେ ଯିବି ? ତତେ ଛାଡିଦେଇ ମୁଁ କଣ ସୁରକ୍ଷାର ଶକ୍ତ ଛାତ ତଳେ ରହି ପାରିବି ? ନା ଯଦି ଯିବି ତତେ ନେଇ କି ହିଁ ଯିବି । ମୁଁ ଭାସିବନି କି ମୋ ଭଗବାନ ଭାସିବେନି… ସମୁଦ୍ରରେ ବିଲିନ ହେବା ଆଗରୁ ବର୍ତ୍ତିଯିବା ଦୁହେଁ । ଦାରୁ ଦେବତାକୁ ଝଡ ମୁହଁରୁ ରକ୍ଷା କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ଏ ପୂଜକ । ଆଉ ମନରେ ଏମିତି କିଛି ଭାବନା ନେଇ ଭଗବାନଙ୍କୁ ଧରି ଆଶ୍ରୟସ୍ଥଳୀ ଧାଇଁଥିଲେ…

ବର୍ଷା ବଢୁଥିଲା, ପବନ ବହୁଥିଲା । ଅବିସ୍ରାନ୍ତ ବର୍ଷା ଛିଟାରେ ଆଖି ବି ଖୋଲି ହେଉନଥିଲା । ଦୂର ଦୂର ଯାଏଁ କିଛି ଦିଶୁନଥିଲା, ଚକା ଆଖି ଛଡା ଚାରିଆଡେ ତାଙ୍କୁ ଅନ୍ଧାର ଦିଶୁଥିଲା, ସଙ୍କଟ ସମୟରେ କମିତି କଳା ସାଆନ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ନେବ ସେହି ଚିନ୍ତା ଘାରିଥିଲା । ବର୍ଷା ପବନର ସେ ବିପତ୍ତିର ବଳୟ ଭିତରେ ଭଗବାନଙ୍କ ପାଇଁ ବ୍ୟସ୍ତ ହେଉଥିବା ଗୋଟେ ଭକ୍ତ ଆଖିରେ କେତେ ଭାବ ଥାଏ, କେତେ ସମର୍ପଣ ଥାଏ, କେତେ ଅଭିମାନ, କେତେ ପ୍ରଶ୍ନ ଥାଏ ତାହା ଏ ପୂଜକଙ୍କ ଆଖି ଆଉ ଆବେଗକୁ ଦେଖିଲେ ସ୍ପଷ୍ଟ ବୁଝିହେବ । ସେଇଥି ପାଇଁ ତ ସୋସିଆଲ ମିଡିଆରେ ଧୂମ ଭାଇରାଲ ହେଉଛି ଏ ଭାବଭରା ଫଟୋ । ଆଉ ଝଡ ଭିତରେ କେତେ କେତେ କାହାଣୀ କହୁଛି ଏ କଥା କୁହା ଫଟୋ ।

ଫଟୋଟି କେଉଁ ସ୍ଥାନର । ଓଡିଶାର ନା ଦୀଘାର ସ୍ପଷ୍ଟ ଜଣାପଡି ନଥିବା ବେଳେ ଫଟୋରେ ପ୍ରତୀକ ଓଡିଶା ଲେଖାଯାଇଛି । ଏ କଥାକୁହା ଫଟୋକୁ ନେଇ ସୋସିଆଲ ମିଡିଆରେ କିଏ କେତେ ପ୍ରକାର ଲେଖୁଛି । କୁହାଯାଉଛି ଏ ଦୃଶ୍ୟ ବାତ୍ୟା ଆସିବା ବେଳର । ବାଲେଶ୍ୱରର ଏକ ବେଳାଭୂମିରେ ଯେତେବେଳେ ସୁରକ୍ଷାକର୍ମୀମାନେ ଲୋକଙ୍କୁ ସମୁଦ୍ରକୂଳ ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ କହୁଥିଲେ ସେତେବେଳେ ମାଡି ଆସୁଥିବା ଜୁଆର ମୁହଁରୁ ଜଗାକୁ ରକ୍ଷା କରିବାକୁ ଛାତିରେ କାଳିଆକୁ କୋଳେଇ ବାତ୍ୟା ଆଶ୍ରୟସ୍ଥଳୀ ଯାଉଛନ୍ତି ପୂଜକ ।

ପୁଣି କିଏ କହୁଛି ବେଳାଭୂମିରେ ଭଗବାନଙ୍କ ମୂର୍ତ୍ତି ବିକ୍ରି କରି ପେଟ ପୋଷୁଥିଲେ ଏ ବ୍ୟକ୍ତି । କାରଣ ତାଙ୍କ ପଛରେ ମହାପ୍ରଭୁଙ୍କ ଅନେକ ମୂର୍ତ୍ତି ଅଛି । ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ପାଖରେ ଜଗାର ଆଉ ଏକ ମୂର୍ତ୍ତି ଜୁଆର ଆଁରେ ପଶିବାକୁ ବସିଛି ଆଉ ଆଗରେ ମହାଦେବଙ୍କ ଲିଙ୍ଗ ରହିଛି । ତେଣୁ କୁହାଯାଉଛି ଯେତେବେଳେ ଜୁଆର ମଣିଷ ଉଚ୍ଚରେ ଉଠିଛି ସେତେବେଳେ ଜୀବନ ଜୀବୀକା ସହ ଜଡିତ ତା ଜଗନ୍ନାଥଙ୍କୁ ନେଇ ବ୍ୟକ୍ତି ଜଣଙ୍କ ବାତ୍ୟାରୁ ବର୍ତ୍ତିବାକୁ ଧାଇଁଛନ୍ତି । ସତରେ ଝଡ ଭିତରେ ଏ ଗୋଟିଏ ଝଲକ ହଜାର କଥା କହୁଛି । ଭକ୍ତ- ଭଗବାନ, ବିପତ୍ତି ଭିତରେ ବିଶ୍ୱନିଅନ୍ତାଙ୍କ ଏ ବିଚିତ୍ର ଲୀଳା ଦେଖି ଏତିକି କୁହାଯାଇପାରେ କାଳିଆ, ତୋର ଏ କି ଲୀଳା…