କନକବ୍ୟୁରୋ: ମହାରାଣୀ ଦୁର୍ଗାବତୀ କଳିଞ୍ଜରର ରାଜା କୀର୍ତି ସିଂହ ଚାନ୍ଦେଲଙ୍କର ଏକମାତ୍ର ସନ୍ତାନ ଥିଲେ । ମହୋବା’ର ରାଠ ଗାଁ ରେ ୧୫୨୪ ମସିହା ଦୁର୍ଗାଷ୍ଟମୀ ଦିନ ଜନ୍ମ ହେଇଥିବାରୁ ତାଙ୍କ ନାମ ଦୁର୍ଗାବତୀ ରଖା ଯାଇଥିଲା । ନାମର ଅନୁରୂପ ତେଜ, ସାହସ ଓ ଶୌର୍ଯ୍ୟ କାରଣରୁ ତାଙ୍କର ପ୍ରସିଦ୍ଧି ଚତୁର୍ଦିଗରେ ପରିବ୍ୟାପ୍ତ ଥିଲା ।

Advertisment

ତାଙ୍କର ବିବାହ ମଣ୍ଡଳଗଡର ପ୍ରତାପୀ ରାଜା ସଂଗ୍ରାମ ସାହଙ୍କ ପୁତ୍ର ଦଳପତ ସାହାଙ୍କ ସହ ସମ୍ପନ୍ନ ହୋଇଥିଲା । ୫୨ଟି ଗଡ ତଥା ୩୫,୦୦୦ ଗାଁ ବିଶିଷ୍ଟ ତାଙ୍କର ସାମ୍ରାଜ୍ୟ ୬୭.୫୦୦ ବର୍ଗ ମାଇଲ ମଧ୍ୟରେ ବ୍ୟାପ୍ତ ଥିଲା । ଯଦିଓ ଦୁଇ ପରିବାର ଭିନ୍ନ ଜାତିର ଥିଲେ କିନ୍ତୁ ଦୁର୍ଗାବତୀଙ୍କର ପ୍ରସିଦ୍ଧିରେ ପ୍ରଭାବିତ ହୋଇ ରାଜା ସଂଗ୍ରାମ ସାହା ତାଙ୍କୁ ପୁତ୍ରବଧୂ କରି ଆଣିଥିଲେ । ଦୁର୍ଭାଗ୍ୟବଶତଃ ବିବାହର ମାତ୍ର ଚାରି ବର୍ଷ ପରେ ରାଜା ଦଳପତ ସାହାଙ୍କର ସ୍ଵର୍ଗବାସ ହୋଇଥିଲା । ସେହି ସମୟରେ ତାଙ୍କ ପୁତ୍ର ନାରାୟଣ ସିଂହଙ୍କୁ ମାତ୍ର ତିନି ବର୍ଷ ହୋଇଥାଏ । ରାଣୀ ଦୁର୍ଗାବତୀ ସ୍ଵୟଂ ରାଜ୍ୟର ଶାସନଭାର ହାତକୁ ନେଇ ବହୁ ଜନ କଲ୍ୟାଣକାରୀ ଯୋଜନା କରିଥିଲେ । ବର୍ତମାନର ଜବଲପୁର ତାଙ୍କର ରାଜଧାନୀ ଥିଲା ।

ରାଣୀ ଦୁର୍ଗାବତୀଙ୍କର ସୁଖୀ ଏବଂ ସମ୍ପନ୍ନ ରାଜ୍ୟ ଦେଖି ତାଙ୍କ ଦିଅର ସହିତ ଅନ୍ୟ ବହୁଲୋକ ଇର୍ଷାରେ ଜଳି ଯାଉଥିଲେ । ମାଲବା’ର ମୁସଲମାନ ଶାସକ ବାଜବାହାଦୁର ବହୁବାର ଆକ୍ରମଣ କରି ପରାଜିତ ହୋଇଥିଲା । ମୋଗଲ ଶାସକ ଆକବର ମଧ୍ୟ ତାଙ୍କ ରାଜ୍ୟ ଜୟ କରି ରାଣୀଙ୍କୁ ତା ‘ହାରେମ’ରେ ରଖିବାକୁ ଚାହୁଁ ଥିଲା । ବିବାଦର ସୂତ୍ରପାତ କରି ପ୍ରଥମେ ସିଏ ରାଣୀଙ୍କର ପ୍ରିୟ ଧବଳ ହସ୍ତୀ ‘ସରମନ’ ଓ ତାଙ୍କର ଅତି ବିଶ୍ଵସ୍ତ ସେନାପତି ଆଧାର ସିଂହକୁ ଉପହାର ସ୍ୱରୂପ ଦେବାକୁ କହିଲା । ଏହି ପ୍ରସ୍ତାବକୁ ରାଣୀ ଦୁର୍ଗାବତୀ ଅତ୍ୟନ୍ତ ସାହସର ସହିତ ମନା କରି ଦେଇଥିଲେ । ଏଥିରେ କ୍ରୋଧାନ୍ଵିତ୍ଵ ହେଇ ଆକବର ନିଜର ଜଣେ ସମ୍ପର୍କୀୟ ଆସଫ ଖାଁ ର ନେତୃତ୍ୟରେ ସୈନ୍ୟବାହିନୀକୁ ଆକ୍ରମଣ କରିବାକୁ ପଠେଇ ଦେଲା । ଆସଫ ଖାଁ ଗୋଣ୍ଡବାନାର ଉତ୍ତରରେ କଡା ମାନକପୁରର ଜମିଦାର ଥିଲା ।

ପ୍ରଥମଥର ଆସଫ ଖାଁ ପରାଜିତ ହେବାପରେ ଦୁଇଗୁଣ ସେନା ନେଇ ପୁନର୍ବାର ଆକ୍ରମଣ ଆରମ୍ଭ କରିଦେଲା । ପ୍ରଥମ ଯୁଦ୍ଧରେ ରାଣୀ ବହୁ ସୈନିକ ହରେଇଥିଲେ । ତାଙ୍କ ସୈନ୍ୟ ବାହିନୀ ଆସଫ ଖାଁ ତୁଳନାରେ ବହୁତ କମ ଥିଲେ । ଆସଫ ଖାଁ ଜବଲପୁର ନିକଟସ୍ଥ ନାରାଇ ନାଳ କୂଳରେ ସେନା ଛାଉଣି ପକେଇ ଯୁଦ୍ଧ କରିବାକୁ ଲାଗିଲେ । ରାଣୀ ନିଜେ ପୁରୁଷ ବେଶରେ ଯୁଦ୍ଧର ନେତୃତ୍ଵ ନେଉଥିଲେ । ଏହି ଯୁଦ୍ଧରେ ୩୦୦୦ ମୋଗଲ ସୈନିକ ମରିଥିଲେ । ରାଣୀଙ୍କର ମଧ୍ୟ ବହୁ କ୍ଷତି ହେଇଥିଲା । ଯୁଦ୍ଧର ଫଳାଫଳ ଜାଣି ସେ ଅନ୍ତିମ ନିର୍ନୟ ନେଇ ମୋଗଲ ସେନାବାହିନୀ ଭିତରେ ପଶି ଯୁଦ୍ଧ କରୁ କରୁ ସେ ଦୁର୍ଗମ ଅଞ୍ଚଳର ବାହାରକୁ  ଚାଲି ଯାଇଥିଲେ ।

ତା ପରଦିନ ୨୪ ଜୁନ , ୧୫୬୪ ରେ ମୋଗଲ ସେନା ପୁନର୍ବାର ଆକ୍ରମଣ ଆରମ୍ଭ କରି ଦେଇଥିଲେ । ସେତେବେଳକୁ ରାଣୀଙ୍କ ପକ୍ଷ ଖୁବ ଦୁର୍ବଳ ହେଇ ସାରିଥିଲେ । ରାଣୀ ନିଜ ପୁତ୍ର ନାରାୟଣକୁ ସୁରକ୍ଷିତ ସ୍ଥାନକୁ ପଠେଇ ଯୁଦ୍ଧକୁ ବାହାରି ପଡିଲେ । ଯୁଦ୍ଧ କରୁ କରୁ ଗୋଟେ ତୀର ଆସି ରାଣୀଙ୍କ ହାତରେ ଗଳି ଯାଇଥିଲା । ତାକୁ ସିଏ ବାହାର କରି ପୁନର୍ବାର ଯୁଦ୍ଧ ଚାଲୁ ରଖିଥିଲେ ପୁନର୍ବାର ଆଉ ଏକ ତୀର ଆସି ତାଙ୍କ ଆଖିରେ ପଶି ଯାଇଥିଲା ତାକୁ ମଧ୍ୟ ସିଏ ବାହାର କରିଦେଇ ଯୁଦ୍ଧ କରିବା ସମୟରେ ଆଉ ଏକ ତୀର ତାଙ୍କର ବେକରେ ପଶିଗଲା ।

ନିଜର ଶେଷ ସମୟ ଉପସ୍ଥିତ ଜାଣି ସେ ତାଙ୍କର ବିଶ୍ଵସ୍ତ ଆଧାର ସିଂହ କୁ ତାଙ୍କ ବେକ କାଟିଦେବାକୁ କହିଲେ କାରଣ ସେ ଜାଣିଥିଲେ ଯଦି ସେ ଜୀବିତ ମୋଗଲ ସେନା ହାତରେ ଧରା ପଡିବେ ତେବେ ଆକବର ତାଙ୍କୁ ନେଇ ନିଜ ‘ହାରେମ’ ରେ ରଖିବ । କାରଣ ହିନ୍ଦୁ ରାଜଘରର ମହିଳା ମାନଙ୍କୁ ନେଇ ନିଜ ହାରେମର ଶୋଭା ବଢେଇବାର ପ୍ରବୃତ୍ତି  ପ୍ରାୟ ସବୁ ମୋଗଲ/ମୁସଲମାନ ଶାସକ ମାନଙ୍କର ଥିଲା । ଆଧାର ସିଂହ ରାଣୀଙ୍କ କଥାରେ ରାଜି ନ ହେବାରୁ ରାଣୀ ନିଜେ ନିଜକୁ ଛୁରିକାଘାତ କରି ପ୍ରାଣତ୍ୟାଗ କରିଥିଲେ । ମଣ୍ଡଳଗଡ ଜୟ କରି ଆକବର ବହୁ ଧନ ସମ୍ପତି ଅଧିକାରୀ ହେଇଥିଲା ଏହି ଧନବଳରେ ଢଳି ଆସୁଥିବା ମୋଗଲ ସାମ୍ରାଜ୍ୟକୁ ପୁଣି ଠିଆ କରେଇବାରେ ସକ୍ଷମ ହେଇଥିଲା । ଏହି ଧାନ ବଳରେ ସେ ନିଜ ସେନାବାହିନୀ କୁ ଶକ୍ତିଶାଳୀ କରି ତିନିବର୍ଷ ମଧ୍ୟରେ ଚିତୋର ଅକ୍ତିଆର କରିଥିଲା ।

ଜବଲପୁର ନିକଟରେ ଯେଉଁଠି ଏହି ଐତିହାସିକ ଯୁଦ୍ଧ ହେଇଥିଲା ସେଠାରେ ରାଣୀଙ୍କର ସମାଧି ତିଆରି ହେଇଛି ।