କନକ ବ୍ୟୁରୋ: ଆକାଶଛୁଆଁ ହେଉଛି ଅତ୍ୟାବଶ୍ୟକ ସାମଗ୍ରୀ ଦର । ଗତ କିଛି ଦିନ ହେଲା ଡାଲି, ଚାଉଳ ଦର ଅହେତୁକ ଭାବେ ବଢ଼ିବାରେ ଲାଗିଛି । ଖୁଚୁରା ବଜାରରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳୁଛି । ଏପଟେ କିଛିଦିନ ହେବ ରାଜ୍ୟର ପରିବା ମାର୍କେଟ ଉପରେ ବି ଚଡ଼କ ପଡିଛି । ଏହାକୁ ନେଇ ଚିନ୍ତାରେ ଖାଉଟି ।

Advertisment

ଆକାଶଛୁଆଁ ହେଉଛି ବଜାର ଦର । ପରିବା ହେଉ କି ଡାଲି, ଚାଉଳ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଛି ଦିନ ମଧ୍ୟରେ ବଢ଼ିଯାଇଛି ଦରଦାମ । କଟକ ମାଲଗୋଦାମ ସମେତ ଭୁବନେଶ୍ୱରର ପାଇକାରୀ ବଜାରରେ ଯେତିକି ଦାମ ବଢୁଛି, ତାହାଠାରୁ ଅଧିକ ଦାମ ବଢିବାରେ ଲାଗିଛି ଖୁଚୁରା ଦୋକାନରେ । ଯାହକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଖାଉଟି ।

ଗତ ୩ ମାସ ଭିତରେ ବଢିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର । ଡାଲି ଓ ଚାଉଳର ବର୍ଦ୍ଧିତ ମୂଲ୍ୟ ବେଶୀ ବାଧୁଛି । ହରଡ଼ ଡାଲି ଏବେ ୧୮୦ ଟଙ୍କା ପାଖାପାଖି । ଏହାରି ଭିତରେ କେଜି ପିଛା ୨୦ରୁ ୩୦ ଟଙ୍କା ବଢ଼ିଯାଇଛି ବୁଟ ଓ ବିରି ଡାଲିର ମୂଲ୍ୟ । ଚାଉଳ ଦର ମଧ୍ୟ ହୁ ହୁ ହୋଇ ବଢ଼ି ଚାଲିଛି ।

ମହଙ୍ଗା ହେଉଛି ବଜାର
ସାମଗ୍ରୀ                ପୂର୍ବରୁ                              ଏବେ
ହରଡ ଡାଲି        ୧୩୫ରୁ ୧୪୦ ଟଙ୍କା            ୧୭୫ରୁ ୧୮୦ ଟଙ୍କା
ବୁଟ ଡାଲି        ୪୦ରୁ ୬୦ ଟଙ୍କା                  ୮୦ରୁ ୯୦ ଟଙ୍କା
ବିରି ଡାଲି          ୧୧୫ରୁ ୧୨୫ ଟଙ୍କା            ୧୩୫ ଟଙ୍କା
ଚାଉଳ (କ୍ୱିଣ୍ଟାଲ) ୩୧୦୦ ଟଙ୍କା                    ୩୭୦୦ ଟଙ୍କା

ରାଜ୍ୟରେ ବର୍ଷକୁ ପ୍ରାୟ ୯.୩ ଲକ୍ଷ ଟନ୍ରୁ ୯.୪ ଲକ୍ଷ ଟନ୍ ଡାଲି ଆବଶ୍ୟକ । ରାଜ୍ୟରେ ମୋଟ ଆବଶ୍ୟକତାର ପ୍ରାୟ ୨୫ ପ୍ରତିଶତ ଡାଲି ଉତ୍ପାଦନ ହେଉଥିବାବେଳେ ଏବେ ୧୫ ପ୍ରତିଶତ ଭିତରେ ରହିଛି । ସରକାର ହସ୍ତକ୍ଷେପ କଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛି ବ୍ୟବସାୟୀ ସଂଘା

ଏପଟେ କିଛିଦିନ ହେବ ରାଜ୍ୟର ପରିବା ମାର୍କେଟ ଉପରେ ଚଡ଼କ ପଡିଛି । ପ୍ରତିଦିନ ଦର ବଢ଼ିବାରେ ଲାଗିଛି । କିପରି ଏଥିରେ ଲଗାମ ଲାଗିବ, ଏଥିପାଇଁ କିଛି ପଦକ୍ଷେପ ନିଆଯାଇନାହିଁ । ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଖାଉଟିଙ୍କ ନିଦ ହଜାଇ ଦେଇଛି ।