ଘରର ବଜେଟ ବିଗାଡି ଦେଲାଣି ବଜାର ଦର: ପରିବା ଠାରୁ ପେଟ୍ରୋଲ ଯାହା କିଣିଲେ ପୋଡୁଛି ପକେଟ୍ 

Advertisment
ଘରର ବଜେଟ ବିଗାଡି ଦେଲାଣି ବଜାର ଦର: ପରିବା ଠାରୁ ପେଟ୍ରୋଲ ଯାହା କିଣିଲେ ପୋଡୁଛି ପକେଟ୍ 

କନକ ବ୍ୟୁରୋ: ଦରଦାମ ବୃଦ୍ଧି ଏକ ସାଧାରଣ ମଧ୍ୟବିତ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି ।  ହାଣ୍ଡିଶାଳ ଠାରୁ ଗାଡ଼ି ଚଳାଇବା ପର୍ଯ୍ୟନ୍ତ ସବୁ କ୍ଷେତ୍ର ପ୍ରଭାବିତ ହୋଇଛି । ରନ୍ଧନ ଗ୍ୟାସ ସାଙ୍ଗକୁ ଖାଇବା ତେଲ, ପନିପରିବା ଦର ସବୁ ଆକାଶଛୁଆଁ । ପ୍ରାୟ ୩୦ ପ୍ରତିଶତ ବଢ଼ିଯାଇଛି ପରିବାରର ଖର୍ଚ୍ଚ । ଏପଟେ ପ୍ରତିଦିନ ବଢ଼ୁଛି ପେଟ୍ରୋଲ ଦର । ଗାଡି ବାହାର କରିବାକୁ ବି ଡରୁଛନ୍ତି ମଧ୍ୟବିତ ପରିବାର ।

ମାଲକାନଗିରି ଜିଲ୍ଲାର ସୁଶାନ୍ତ ଶାମଲଙ୍କ ପରିବାର । ଗୋଟିଏ ଘରୋଇ ସ୍କୁଲ ଓ କମ୍ପ୍ୟୁଟର ଇନ୍ସଟିଚ୍ୟୁଟ ଚଲାଇ ପରିବାର ପ୍ରତିପୋଷଣ କରୁଥିଲେ । ତେବେ କରୋନା ଯୋଗୁଁ  ସେସବୁ ବନ୍ଦ ରହିଛି । ଏବେ ଗୋଟିଏ ଛୋଟିଆ କ୍ୟାଫେ ଆରମ୍ଭ କରିଛନ୍ତି ।

ବର୍ଷକ ତଳେ ଗ୍ରୋସରି ପାଇଁ ଖର୍ଚ୍ଚ କରିବାକୁ ପଡୁଥିଲା ୬ ହଜାର ୫୦୦ ଟଙ୍କା । ଏବେ ଏହା ବଢ଼ି ପ୍ରାୟ ୮ ହଜାର ୫୦୦ ଟଙ୍କାରେ ପହଁଚିଛି । ପନିପରିବା ଓ ମାଛମାଂସ ପାଇଁ ଗତବର୍ଷ ଖର୍ଚ୍ଚ ହେଉଥିଲା ୩ ହଜାର ୫୦୦ ଟଙ୍କା । ଏବେ ଆହୁରି ହଜାରେ ଟଙ୍କା ଏଥିପାଇଁ ଖର୍ଚ୍ଚ କରିବାକୁ ପଡୁଛି । ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ପ୍ରାୟ ୩୦୦ ଟଙ୍କା ବଢ଼ିଯାଇଛି । ଯଦି ଜଣେ ମାସକୁ ବାଇକ ପାଇଁ ୧୨ ଲିଟର ପେଟ୍ରୋଲ କିଣୁଥିଲା । ଗତବର୍ଷ ଅପେକ୍ଷା ଏବର୍ଷ ମାସିକ ୪ଶହରୁ ୫ଶହ ଟଙ୍କା ଅଧିକ ଗଣିବାକୁ ପଡୁଛି ।

                                   ୨୦୨୦ (ଅକ୍ଟୋବର) ୨୦୨୧ (ଅକ୍ଟୋବର)

ମାସିକ ଗ୍ରୋସରି          ୬,୫୦୦ ଟଙ୍କା ୮,୫୦୦ ଟଙ୍କା

ପନିପରିବା ଓ ଆମିଷ         ୩,୫୦୦ ଟଙ୍କା ୪,୫୦୦ ଟଙ୍କା

ରନ୍ଧନ ଗ୍ୟାସ     ୬୨୦ ଟଙ୍କା ୯୨୬ ଟଙ୍କା 

ବାଇକରେ ପେଟ୍ରୋଲ     ୯୭୨ ଟଙ୍କା ୧,୩୨୦ ଟଙ୍କା

ଦରଦାମ ବୃଦ୍ଧି ଯୋଗୁଁ ମଧ୍ୟବିତ ପରିବାର ହନ୍ତସନ୍ତ ହେଉଛନ୍ତି, ମାଳକାନଗିରିରେ ଯେଉଁ ଚିତ୍ର, ସେହି ଚିତ୍ର ଦେଖିବାକୁ ମିଳିଛି କଟକରୁ । କିପରି ପରିବାର ପ୍ରତିପୋଷଣ କରିବେ ଏହି ଚିନ୍ତା ଘାରିଛି ଲୋକଙ୍କୁ । ଦରଦାମ ବୃଦ୍ଧି ଏକ ସାଧାରଣ ପରିବାରର ଅଂଟା ଭାଙ୍ଗିଦେଇଛି । କେବେ ଏଥିରୁ ତ୍ରାହି ମିଳିବ, ସେ ନେଇ ମଧ୍ୟ କାହା ପାଖରେ କିଛି ଉତର ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe