ବଢିବ କୋଭିସିଲ୍ଡ ଓ କୋଭାକ୍ସିନର ଦାମ । ଅଧିକ ଦାମ ଦେଇ ୬୬ କୋଟି ଖୋରାକ କିଣିବେ ସରକାର

178

କନକ ବ୍ୟୁରୋ : କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ଦାମ ବଢାଇବାକୁ ନିର୍ମାତା କମ୍ପାନୀମାନେ ଦାବି କରିଥିବା ବେଳେ ଏହାକୁ ସରକାର ସ୍ୱୀକାର କରିଛନ୍ତି । ଏହି ଦୁଇଟି ଟିକା ନିର୍ମାତା କମ୍ପାନୀର ଟିକା ଦାମ ବଢାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କେନ୍ଦ୍ରସରକାର ଉଭୟ ଟିକାର ୬୬ କୋଟି ଖୋରାକ ନୂଆ ଦାମରେ କିଣିବେ । ଏନେଇ ସରକାର କମ୍ପାନୀ ମାନଙ୍କ ଠାରେ ଅଗ୍ରୀମ ଅର୍ଥ ପୈଠ କରିଛନ୍ତି । କହିରଖୁ କି ଏହା ବର୍ତମାନ ପର୍ଯ୍ୟନ୍ତ ସରକାର ଉଭୟ ଟିକାର ପ୍ରତି ଖୋରାକୁ ୧୫୦ ଟଙ୍କାରେ କିଣୁଥିଲେ ।

ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଡିସେମ୍ବର ମାସ ସୁଦ୍ଧା ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିସିଲ୍ଡ ଟିକା ୩୭.୫ କୋଟି ଖୋରାକ ଓ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ୨୮.୫ କୋଟି ଖୋରାକ ସରକାର କିଣିବେ । କୁହାଯାଇଛି କି ଅଗଷ୍ଟ ମାସରୁ ଡିସେମ୍ବର ମାସ ମଧ୍ୟରେ କୋଭିସିଲ୍ଡ ଓ କୋଭାକ୍ସନ ଟିକାର ୬୬ କୋଟି ଖୋରାକ ସରକାର କିଣିବେ । ଏହି ସମୟରେ କୋଭିସିଲ୍ଡର ଦାମ ୨୦୫ ଟଙ୍କା ଓ କୋଭାକ୍ସିନର ଦାମ ୨୧୫ ଟଙ୍କା ପ୍ରତି ଖୋରାକ ରହିବ । ଏହାସହିତ ଟ୍ୟାକ୍ସକୁ ସାମିଲ କଲେ କୋଭିସିଲ୍ଡ ପ୍ରତି ଖୋରାକର ଦାମ ୨୧୫.୨୫ ଟଙ୍କା ଓ କୋଭାକ୍ସିନର ଦାମ ୨୨୫.୭୫ ଟଙ୍କାରେ ସରକାର କିଣିବେ ।

ଅନ୍ୟପଟେ ସରକାର ଅଧିକ ଦାମରେ ଟିକା କିଣିଲେ ବି ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିବ ନାହିଁ । କାରଣ ସରକାରୀ ମେଡିକାଲ ଓ ଅନ୍ୟ ଟିକାକେନ୍ଦ୍ରରେ ଦିଆଯାଉଥିବା କୋଭିଡ-୧୯ ଟିକା କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣା ଯୋଗାଇ ଦିଆଯାଉଛି ।