ଆଜି ବି ପୁଣି ବଢ଼ିଲା ପେଟ୍ରୋଲ ଦର : ଭୁବନେଶ୍ୱରରେ ୧୧୦ ମୁହାଁ ପେଟ୍ରୋଲ, ଡିଜେଲ ଦର ୧୦୬

ବେଲଗାମ ତେଲ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଲୋକ

140

କନକ ବ୍ୟୁରୋ : ଆଜି ପୁଣି ବଢିଲା ତେଳ ଦର । ପେଟ୍ରୋଲ ଓ ଡିଜେଲ ଦର ପୁଣି ବୃଦ୍ଧି ପାଇଛି । ଲଗାତର ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢିଛି । ଲଗାତର ଦର ବୃଦ୍ଧି ଯୋଗୁ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୧୧୦ ମୁହାଁ ହୋଇଛି । ଏବେ ଭୁବନେଶ୍ୱରରେ ପେଟ୍ରୋଲ ଦର ରହିଛି ୧୦୯ ଟଙ୍କା ୬୧ ପଇସା । ସେହିପରି ଡିଜେଲ ଦର ୧୦୬ ଟଙ୍କା ୨୨ ପଇସାରେ ପହଂଚିଛି । ରାଜ୍ୟର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ସର୍ବାଧିକ ରହିଛି । କାଲିମେଳାରେ ଲିଟର ପ୍ରତି ଦର ୧୧୬ ଟଙ୍କା ହୋଇଛି । ଡିଜେଲ ଦର ମଧ୍ୟ ୧୧୨ଟଙ୍କା ଉପରେ ରହିଛି ।

ଜାତୀୟ ରାଜଧାନୀ ଅଞ୍ଚଳରେ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୮.୬୪ ଓ ଡିଜେଲ୍‌ ଲିଟର୍‌ପିଛା ଟ. ୯୭.୩୭ରେ ବିକ୍ରୟ ହେଉଛି । ମୁମ୍ବାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୧୪.୪୭ ଥିବା ବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୫.୪୯ରେ ବିକ୍ରୟ ହେଉଛି । ଚେନ୍ନାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୫.୪୩ରେ କିଣା ଯାଉଥିବା ବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୧.୫୯ରେ କିଣା ଯାଉଛି । କୋଲ୍‌କାତାରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୯.୧୨ ଥିବା ବଳେ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୦.୪୯ରେ ବିକ୍ରୟ ହେଉଛି ।

ଭାରତ ପେଟ୍ରୋଲିୟମ୍‌, ଇଣ୍ଡିଆନ୍‌ ଅଏଲ୍‌ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ସମେତ ତୈଳ ବିପଣନ କମ୍ପାନିମାନଙ୍କଦ୍ୱାରା ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ସଂଶୋଧନ କରାଯାଏ । ସାଧାରଣତଃ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଓ ଟଙ୍କା-ଡଲାର୍‌ ବିନିମୟ ମୂଲ୍ୟକୁ ଆଧାର କରି ଉପରୋକ୍ତ ଇନ୍ଧନ ଦର ଧାର୍ଯ୍ୟ କରାଯାଇଥାଏ । ସୂଚନାଯୋଗ୍ୟ, ପ୍ରତିଦିନ ସକାଳ ୬ଟା ବେଳେ ସଂଶୋଧିତ ଇନ୍ଧନ ମୂଲ୍ୟ ଲାଗୁ କରାଯାଏ । କ୍ଷେତ୍ର ବିଶେଷରେ ‘ଭ୍ୟାଟ୍‌’, ସ୍ଥାନୀୟ ଟିକସ ଏବଂ ପରିବହନ ବ୍ୟୟକୁ ଚାହିଁ ବିଭିନ୍ନ ରାଜ୍ୟ ଓ ସହରଗୁଡ଼ିକରେ ଇନ୍ଧନ ଦରରେ ପାର୍ଥକ୍ୟ ଦେଖା ଦେଉଛି ।