ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ : ଆଜି ପୁଣି ବଢ଼ିଲା ୩୫ ପଇସା; ମେଟ୍ରୋ ସହରଠୁ ବି ଓଡ଼ିଶାର ଦର ଅଧିକ

442

କନକ ବ୍ୟୁରୋ : ତେଲ ଦରରେ ନିଆଁ । ପେଟ୍ରୋଲ, ଡିଜେଲ ଦରରେ ଲାଗୁନି ବ୍ରେକ । ଆଜି ଭୁବନେଶ୍ୱର ପେଟ୍ରୋଲ ଦର ଲିଟର ପିଛା ୩୯ ପଇସା ବଢିଥିବାବେଳେ ଡିଜେଲ ୩୫ ପଇସା ବଢିଛି । ଏହା ସହ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୨୫ ପଇସା ଓ ଡିଜେଲ ଲିଟର ପିଛା ୧୦୫ ଟଙ୍କା ୮୪ ପଇସା ହୋଇଛି । କାଲିମେଳାରେ ପେଟ୍ରୋଲ ୧୧୫ ଟଙ୍କା ହୋଇଥିବାବେଳେ ଡିଜେଲ ୧୧୨ ଟଙ୍କ ୧୯ ପଇସା ହୋଇଛି ।

ଯଦି ତୁଳନାତ୍ମକ ଭାବରେ ଦେଖାଯାଏ ତାହାହେଲେ ଓଡିଶାରେ ପେଟ୍ରୋଲ ଦର ଦେଶର ଦିଲ୍ଲୀ, ଚେନ୍ନାଇ ଓ କେଲକାତା ଭଳି ମେଟ୍ରୋ ସହରଠାରୁ ଅଧିକ ରହିଛି । ସେହିଭଳି ଭୁବନେଶ୍ୱରରେ ଡିଜେଲ ଦର ଦେଶର ଅନ୍ୟ ୪ ମେଟ୍ରୋ ସହରଠାରୁ ଅଧିକ ରହିଛି । ଆଉ ତେଲ ଦର ବୃଦ୍ଧି ଯୋଗୁଁ ଗ୍ରାହକଙ୍କ ଉପରେ ବୋଝ ଅଧିକ ପଡିଛି । ପରିବହନ ଖର୍ଚ୍ଚ ଅଧିକ ପଡିବା ଫଳରେ ବିଭିନ୍ନ ସାମଗ୍ରୀର ଦର ବି ବଢିଛି ।

ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୮.୨୯ ଓ ଡିଜେଲ୍‌ ଲିଟର୍‌ ପିଛା ଟ. ୯୭.୦୨ରେ ବିକ୍ରୟ ହେଉଛି । ମୁମ୍ବାଇରେ ପେଟ୍ରୋଲ୍‌ ଲିଟର୍‌ ପିଛା ଟ. ୧୧୪.୧୪ ଥିବା ବଳେ ଡିଜେଲ୍‌ ଲିଟର୍‌ ପିଛା ଟ. ୧୦୫.୧୨ରେ ବିକ୍ରୟ ହେଉଛି । ଚେନ୍ନାଇରେ ପେଟ୍ରୋଲ୍‌ ଲିଟର୍‌ ପିଛା ଟ. ୧୦୫.୧୩ରେ କିଣା ଯାଉଥିବା ବଳେ ଡିଜେଲ୍‌ ଲିଟର୍‌ ପିଛା ଟ. ୧୦୧.୨୫ରେ କିଣା ଯାଉଛି ।କୋଲ୍‌କାତାରେ ପେଟ୍ରୋଲ୍‌ ଲିଟର୍‌ ପିଛା ଟ. ୧୦୮.୭୮ ଥିବା ବଳେ ଡିଜେଲ୍‌ ଲିଟର୍‌ ପିଛା ଟ. ୧୦୦.୧୪ରେ ବିକ୍ରୟ ହେଉଛି । ଭାରତ ପେଟ୍ରୋଲିୟମ୍‌, ଇଣ୍ଡିଆନ୍‌ ଅଏଲ୍‌ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ସମେତ ତୈଳ ବିପଣନ କମ୍ପାନିମାନଙ୍କ ଦ୍ୱାରା ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ସଂଶୋଧନ କରାଯାଏ ।

କିିଛି ଦିନ ତଳେ ଡିଜେଲ ଦର ବୃଦ୍ଧି କାରଣରୁ ସରକାରଙ୍କ ପକ୍ଷରୁ ବସ୍ ଭଡା ବୃଦ୍ଧି କରାଯାଇଥିଲା । ଏବେ ଘରୋଇ ବସ୍ ମାଲିକ ସଂଘ ଡିଜେଲ୍ ଦର କମାଇ ଭଡା ହ୍ରାସ କରିବାକୁ ରାଜ୍ୟ ସରକାରଙ୍କ  ପାଖରେ ଦାବି କଲେଣି । ଏହିଭଳି ଭାବେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଲେ ଆଗକୁ ପୁଣି ବସ ଭଡା ବଢିବ । ତୈଳ ଦର ପାଇଲେ ଆଗକୁ ପୁଣି ବସ ଭଡା ବଢିବ । ତୈଳ ଦର ନିୟନ୍ତ୍ରଣକୁ ନ ଆସିବା ଦ୍ୱାରା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରଦାମ୍ ଆକାଶ ଛୁଆଁ ହେଲାଣି ।