ମୁଣ୍ଡରୁ ପାଦ ଯାଏଁ ରୁଣରେ ବୁଡିରହିଛି କାଙ୍ଗାଳ ପାକିସ୍ତାନ । ଚୀନର ଗୋଡାଣିଆ ହୋଇ ଭାରତ ବିରୋଧରେ ନାଚୁଛି ପାକ୍ । ଅଟା କିଣିବାକୁ ନାହିଁ ଟଙ୍କା, ବିଲାତି ଦର ବଢାଉଛି ଚିନ୍ତା ।

761

କନକ ବ୍ୟୁରୋ : ପାକିସ୍ତାନର ପ୍ରମୁଖ ଖାଦ୍ୟ ରୁଟି ହୋଇଥିବାବେଳେ, ଅଟାର କିଲୋପିଛା ଦର ୬୦ ଟଙ୍କାରୁ ଅଧିକ । ତେବେ କେବଳ ଅଟା କାହିଁକି, କାଙ୍ଗାଳ ପାକିସ୍ତାନ, ଲୋକଙ୍କୁ ଶସ୍ତା ଦରରେ ଟମାଟୋ ଓ ପିଆଜ ଯୋଗାଇବାକୁ ମଧ୍ୟ ଅସମର୍ଥ । କାହିଁକି ଜାଣନ୍ତି ? ପାକିସ୍ତାନର ରୁଣ ପରିମାଣ ହେଉଛି ୭ ଲକ୍ଷ କୋଟିରୁ ଅଧିକ । ଯାହାର ଅର୍ଥ ପ୍ରତ୍ୟେକ ପାକିସ୍ତାନୀଙ୍କ ମୁଣ୍ଡପିଛା ରୁଣ ପ୍ରାୟ ସାଢେ ୪୩ ହଜାର ଟଙ୍କା । ମୁଣ୍ଡରୁ ପାଦ ଯାଏଁ ରୁଣରେ ବୁଡିଥିବା ପାକିସ୍ତାନ ଏହି ବୋଝରୁ ମୁକ୍ତି ପାଇଁ କରିବ କଣ ? କେବଳ ଚୀନର ଗୋଡାଣିଆ ହୋଇଛି । ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଇସାରାରେ ଭାରତ ବିରୋଧରେ ନାଚୁଛି ।

ପାକିସ୍ତାନ ମନ୍ତ୍ରୀଙ୍କ କହିବା ହେଲା ଭାରତ ଗହମ ଓ ଆଖୁର ରପ୍ତାନୀ ବନ୍ଦ କରିଦେବାରୁ ପାକିସ୍ତାନରେ ବଢିଗଲା ଅଟା ଓ ଚିନିର ଦର । ହେଲେ ସତ ହେଉଛି ପାକିସ୍ତାନରେ କେବଳ ଅଟା ମହଙ୍ଗା ହୋଇନାହିଁ । ଟମାଟୋ, ଆଳୁ ଓ ପିଆଜ ଭଳି ଅନ୍ୟାନ୍ୟ ପରିବା ଦରରେ ମଧ୍ୟ ରେକର୍ଡ ବୃଦ୍ଧି ହୋଇଛି । ପାକିସ୍ତାନ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସ ତଥ୍ୟରୁ ଜଣାପଡିଛି ଯେ, ଖାଦ୍ୟ ସାମଗ୍ରୀର ଦରରେ ଅହେତୁକ ବୃଦ୍ଧି ହେବା ଏକ ଅଦ୍ଭୁତ ଘଟଣା । ଗତ ଗୋଟିଏ ବର୍ଷ ଭିତରେ ପାକିସ୍ତାନରେ,

– ଟମାଟୋ ଦରରେ ୧୨୮% ବୃଦ୍ଧି
– ପିଆଜ ଦରରେ ୧୨୫% ବୃଦ୍ଧି
– ତାଜା ପନିପରିବା ୯୩% ବୃଦ୍ଧି
– ଆଳୁ ଦରରେ ୨୭% ବୃଦ୍ଧି
– ଚିନିର ଦରରେ ୮୬% ବୃଦ୍ଧି ଆସିଛି ।

ଖୁଚୁରା ବଜାରରେ ଟମାଟୋର କିଲୋପିଛା ଦର ପାକିସ୍ତାନରେ ୨୦୦ ଟଙ୍କା ରହିଛି । ପିଆଜ ୮୦ଟଙ୍କାରୁ ଅଧିକ ଏବଂ ଅଦାର କିଲୋ ପିଛା ଦର ୬୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । କୁହାଯାଉଛି ପାକିସ୍ତାନକୁ ଇରାକ ଓ ଆଫଗାନିସ୍ତାନରୁ ବହୁ ପରିମାଣରେ ଟମାଟୋ ଓ ପିଆଜ ଆମଦାନୀ ହୋଇଥାଏ । ନିକଟରେ ପାକିସ୍ତାନ ସରକାର ଏହି ଦୁଇ ରାଷ୍ଟ୍ରରୁ ଆମଦାନୀ ଉପରେ ସଂପୂର୍ଣ୍ଣ କଟକଣା ଲଗାଇଥିବାରୁ ଟମାଟୋ ଓ ପିଆଜ ଦରରେ ଏଭଳି ଅହେତୁକ ବୃଦ୍ଧି ଆସିଥିବା ଦାବି କରାଯାଉଛି ।

ହେଲେ ରାସନ ଦୋକାନ ସାମ୍ନାରେ ଅଟା କିଣିବା ପାଇଁ ଲାଗୁଛି ଲୋକଙ୍କ ଲମ୍ବା ଲାଇନ୍ । ପାକିସ୍ତାନରେ ଗରିବ ଲୋକଙ୍କ ପାଖରେ ଅଟା କିଣିବାକୁ ପଇସା ନାହିଁ । ଆଉ ଯାହା ପାଖରେ ପଇସା ଅଛି ତାକୁ ଅଟା ମିଳୁନାହିଁ । ଦୋକାନ ସାମ୍ନାରେ ଦୀର୍ଘ ସମୟ ଧରି ଧାଡିବାନ୍ଧି ଛିଡା ହେବାପରେ ଭାଗ୍ୟ ଭଲଥିଲେ ପାଳି ପଡୁଛି । ପରିବାରର ପେଟ ପୁରାଇବାକୁ ଅଟା ମିଳିଯାଉଛି । ପାକିସ୍ତାନରେ କ୍ଷମତାସୀନ ଇମ୍ରାନ ସରକାରଙ୍କୁ ଗରିବଙ୍କ ମସିହା କୁହାଯାଉଛି । ଦରକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର କଳା ବଜାରି ଉପରେ ଅଂକୁଶ ଲଗାଯାଇଥିବା ସରକାର ଦାବି କରୁଛନ୍ତି । ଅଧିକ ଲାଭର ଲୋଭରେ ସାମଗ୍ରୀ ହୋର୍ଡିଂ କରୁଥିବା ଅସାଧୁ ବ୍ୟବସୀୟଙ୍କ ଉପରେ ଚଢାଉ ହେଉଛି । ହେଲେ ଅଟା ପାଇଁ ଲାଗିଥିବା ଗ୍ରାହକଙ୍କ ଗହଳି ଇମ୍ରାନ ସରକାରଙ୍କ ମିଛ ଧରାଇ ଦେଉଛି ।

ଅନ୍ୟପଟେ ଲୋକଙ୍କୁ ଉପହାସ କଲାଭଳି ଇମ୍ରାନ ଖାନଙ୍କ ମନ୍ତ୍ରୀ ଉଡାଇ ଚାଲିଛନ୍ତି ସୁସ୍ୱାଦୁ ଭୋଜି । ସାଥୀମାନଙ୍କ ସହ ବସି ହୋଟେଲରେ ଖାଇଲାବେଳେ ସାଧାରଣ ପାକିସ୍ତାନର ନାଗରିକ ଅଟା ପାଉନଥିବା ବୋଧହୁଏ ଭୁଲି ଯାଇଛନ୍ତି ଏହି ପ୍ରଭାବଶାଳୀ ନେତା । ଆଉ ଏପଟେ ପାକିସ୍ତାନରେ ଲୋକଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଇ ପାରୁନଥିବା ସରକାରର ଆଉ ଜଣେ ମନ୍ତ୍ରୀ ଏଥିପାଇଁ ଭାରତକୁ ଦୋଷ ଦେଉଛନ୍ତି ।

ଗତବର୍ଷ ପାକିସ୍ତାନରେ ଖାଉଟି ସାମଗ୍ରୀର ମୁଦ୍ରାସ୍ଫୀତି ୧୧.୪ ପ୍ରତିଶରେ ଥିଲା । ଯାହା ସାରା ବିଶ୍ୱରେ ସର୍ବାଧିକ । ତେଣୁ ବ୍ୟାଙ୍କ ରୁଣ ଉପରେ ସୁଧହାରକୁ ବଢାଇ ମୁଦ୍ରାସ୍ଫୀତିକୁ କମ୍ କରିବା ଲାଗି ପ୍ରୟାସ କରିଥିଲେ ପାକିସ୍ତାନ ସରକାର । ଫଳରେ ସାମଗ୍ରୀର ଚାହିଦା କମିଗଲା । କିନ୍ତୁ ଲୋକଙ୍କ ପାଖରେ ପଇସା ନଥିବାରୁ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ହୋଇଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସରକାରୀ କର୍ମଚାରୀ ଲାହୋରରେ ଶୋଭାଯାତ୍ରା କରି ପାରିଶ୍ରମିକ ବୃଦ୍ଧି କରିବାକୁ ଦାବି କରିଛନ୍ତି । କ୍ଷମତାରେ ବସିଥିବା ଏକ ଜନସ୍ୱାର୍ଥ ବିରୋଧୀ ସରକାରକୁ ଗାଦି ଛାଡିବା ପାଇଁ କରିଛନ୍ତି ନାରାବାଜୀ । ଟମାଟୋ, ଆଳୁ, ପିଆଜ, ଅଟା ଓ ଚିନି ଭଳି ଜରୁରୀ ସାମଗ୍ରୀର ଦର ଅହେତୁକ ବୃଦ୍ଧି ପାଇବା ପରେ ସରକାର ବିରୋଧୀ ଅସନ୍ତୋଷ ତେଜିବାରେ ଲାଗିଛି ।