ବର୍ଷା ଅଭାବ ସମସ୍ୟା ପରେ ସାର ସଙ୍କଟ ବଢ଼ାଇଲା ଚାଷୀଙ୍କ ଚିନ୍ତା । କେଉଁଠି ଅଭାବି ବିକ୍ରି, ତ କେଉଁଠି ଆସୁଛି ଶୋଷଣର ଅଭିଯୋଗ? ବଢୁଛି ଅସନ୍ତୋଷ, ଚିନ୍ତାରେ କୃଷି ବିଭାଗ ।

116

କନକ ବ୍ୟୁରୋ : ଜମିରେ ପାଣି ହେବା ପରେ ଚାଷ କାର୍ଯ୍ୟରେ ଲାଗି ପଡିଛି ଚାଷୀ । ଧାନ ତଳି ରୁଆ ଚାଲିଛି । ଚାଷ କାର୍ଯ୍ୟ ଆଗକୁ ବଢୁଥିବା ବେଳେ ସାର ସଂକଟର ସମ୍ମୁଖୀନ ହେବା ସହ ଓ ଚଢ଼ା ଦାମରେ କିଣିବାକୁ ବାଧ୍ୟ ହେଉଛି ଚାଷୀ । ଏହାକୁ ନେଇ ବଢ଼ୁଛି ଚାଷୀ ଅସନ୍ତୋଷ । ଏହା କୌଣସି ଗୋଟିଏ ଅଂଚଳର ସମସ୍ୟା ନୁହେଁ । ଗତକାଲି ନବରଙ୍ଗପୁର, ପୋଲସରାରୁ ଏହି ସମସ୍ୟାର ଚିତ୍ର ଆସିଥିବାବେଳେ ଆଜି ସାଲେପୁର, ବାଙ୍କୀରୁ ଆସିଛି ସାର ଅଭାବର ଚିତ୍ର ।

ଉପକୂଳରୁ ଉପାନ୍ତ, ରାଜ୍ୟର ଅଧିକାଂଶ ଅଞ୍ଚଳରୁ ଆସୁଛି ସାର ସଙ୍କଟର ଏମିତି ଚିତ୍ର । ସାର ମିଳୁ ନଥିବାରୁ ସୋସାଇଟି ଆଗରେ କେଉଁଠି ଚାଷୀ ଧାଡି ଲଗାଇଛନ୍ତି ତ ଆଉ କେଉଁଠି ବାହାରୁ ଚଢ଼ା ଦାମରେ କିଣିବାକୁ ବାଧ୍ୟ ହେଉଛନ୍ତି । ଏହାକୁ ନେଇ ବଢ଼ୁଛି ଚାଷୀ ଅସନ୍ତୋଷ ।  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବିଏନପୁର ପଂଚାୟତରେ ବେଢ ଗ୍ରାମରେ ଚଢ଼ା ଦାମରେ ସାର ବିକ୍ରି ହେଉଥିବାରୁ କିଛି ଯୁବକ ଏହାର ପ୍ରତିବାଦ କରିବାରୁ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ଏବଂ ପରସ୍ପର ପରସ୍ପରକୁ ଆକ୍ରମଣ କରିଛନ୍ତି ।

କଟକ ସାଲେପୁର ଅଂଚଳରେ ଜମିରେ ପାଣି ହେବା ପରେ, ଦିନରାତିକୁ ଏକାଠି କରି କ୍ଷେତରେ ପଡିଛି ଚାଷୀ । ଜମିରେ ଚାଲିଛି ଧାନ ରୁଆ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟ । ହେଲେ ସୋସାଇଟିରେ ସାର ମିଳୁନଥିବାରୁ, ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ ।  ଚାଷୀଙ୍କୁ ସୁବିଧାରେ ସାର ଯୋଗାଇ ଦେବା ପାଇଁ ସୋସାଇଟି ମାଧ୍ୟମରେ, ସୁଲଭ ମୂଲ୍ୟରେ ସାର ଯୋଗାଇବାର ବ୍ୟବସ୍ଥା କରିଛନ୍ତି ସରକାର । ଏଥିପାଇଁ ଦର ବି ଧାର୍ଯ୍ୟ କରିଛନ୍ତି । ସରକାରୀ ଦର ଅନୁଯାୟୀ  ୟୁରିଆ ବସ୍ତା ପିଛା ୨୨୬ ଟଙ୍କା ୫୦ ପଇସା ରହିଛି । କିନ୍ତୁ ଏହାର ବଜାର ଦର ୬୬୦ଟଙ୍କା ରହିଛି । ସେହିପରି ଗ୍ରୋମର ବସ୍ତା ପିଛା ସରକାରଙ୍କ ଦର ହେଉଛି ୧୨୭୫ ଟଙ୍କା ,  କିନ୍ତୁ ବଜାର ଦର ରହିଛି ୧୭୫୦ ଟଙ୍କା । ଡିଏପି ବସ୍ତା ୧୨୦୦ ଟଙ୍କା ରହିଥିବାବେଳେ ବଜାର ଦର ରହିଛି ୧୨୫୦ ଟଙ୍କା । ସରକାରଙ୍କ ଦର, ବଜାର ଦର ଠାରୁ ଯଥେଷ୍ଟ କମ୍ ରହୁଥିବାରୁ ଅସାଧୁ କର୍ମଚାରୀ ଓ ମୁନାଫାଖୋର ବ୍ୟବସାୟୀମାନେ ସାର ଅଭାବ ସୃଷ୍ଟି କରି ଚଢ଼ା ଦାମରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ସାର ଅଭାବକୁ ନେଇ ସାରାରାଜ୍ୟରେ ଚାଷୀ ଭୋଗୁଥିବା ସମସ୍ୟାର ସମାଧାନ ପାଇଁ ଜୋର ହେଉଛି ଦାବି ।