ଦହଗଞ୍ଜ କରିଦେଲାଣି ଦରଦାମ ବୃଦ୍ଧି । ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପରେ, ଗ୍ୟାସ, ପେଟ୍ରୋଲ ଡିଜେଲ ଦର ବଢ଼ାଇଲା ଚିନ୍ତା ।

170

କନକ ବ୍ୟୁରୋ : ରୋଷେଇ ଘର ଉପରେ ପଡୁଛି ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ । ଗ୍ୟାସ ସିଲିଣ୍ଡର ଠାରୁ ଆରମ୍ଭ କରି ରିଫାଇନ ତେଲ, ଅଟା, ଆଳୁ ଓ ମ୍ୟାଗି ସବୁଥିରେ ବଢିଛି ଦର । ଯାହା ସିଧାସଳଖ ପକେଟ ଉପରେ ମାଡ କରୁଛି । ଯୁଦ୍ଧ ଆରମ୍ଭ ବେଳେ ବିଶେଷଜ୍ଞମାନେ ଆକଳନ କରିଥିବା କଥା ସତ ହୋଇଛି । ଯାହା ଏବେ ଚିନ୍ତା ବଢାଇଛି ।

ଯୁଦ୍ଧ ଆରମ୍ଭ ହେବା ପରେ ବିଶେଷଜ୍ଞମାନେ ଯେଉଁ ଆକଳନ କରିଥିଲେ, ତାହା ସତ ପ୍ରମାଣିତ ହେଲାଣି । ଯୁଦ୍ଧର ପ୍ରଭାବ ଅର୍ଥନୀତିରେ ପଡ଼ୁଛି, ଆଉ ଏହି କାରଣରୁ ତେଲ ଠାରୁ ଆରମ୍ଭ କରି ନିତିଦିନିଆ ସଉଦାର ଦର ବଢ଼ିଛି ।

ଯୁଦ୍ଧ ଯୋଗୁଁ ବଢ଼ୁଛି ଦର । ତେଲଠୁ ରୋଷେଇ ଘର, ସବୁଠି ପଡ଼ିଲାଣି ପ୍ରଭାବ । ଗାଡ଼ିର ତେଲ ଠାରୁ ଆରମ୍ଭ କରି ଗ୍ୟାସ ସିଲିଣ୍ଡର, ବଜାର ସଉଦା ସବୁର ମୂଲ୍ୟ ବଢ଼ିଲାଣି । ଆଉ ଏହାର ପ୍ରଭାବ ଘର ଖର୍ଚ୍ଚ ଉପରେ ପଡ଼ିଛି । ଗୋଟିଏ ୬ ଜଣିଆ ପରିବାରର ମାସିକିଆ ଖର୍ଚ୍ଚକୁ ହିସାବକୁ ନେଲେ ଚିତ୍ର ଅଧିକ ସ୍ପଷ୍ଟ ହୋଇଯିବ ।

ରିଫାଇନ ତେଲ: ଲିଟର ପିଛା ୩୦ରୁ ୪୦ ଟଙ୍କା ବଢ଼ିଛି । ଯଦି ଗୋଟିଏ ପରିବାର ୫ ଲିଟର ରିଫାଇନ ବ୍ୟବହାର କରେ, ତାହେଲେ ମାସକୁ ପୂର୍ବ ଅପେକ୍ଷା ୧୫୦ରୁ ୨ଶହ ଅଧିକ ଖର୍ଚ୍ଚ କରିବାକୁ ହେବ ।

ଅଟା: କେଜି ପିଛା ୨ରୁ ୩ ଟଙ୍କା ବଢ଼ିଛି । ଯଦି ଗୋଟିଏ ପରିବାର ୧୦ କେଜି ଅଟା ବ୍ୟବହାର କରନ୍ତି, ତାହେଲେ ଅଧିକ ୩୦ ଟଙ୍କା ଖର୍ଚ୍ଚ କରିବେ ।

ଆଳୁ: କେଜି ପିଛା ୫ରୁ ୬ ଟଙ୍କା ବଢ଼ିଛି । ଯଦି ମାସକୁ ୧୦ କେଜି ଆଳୁ ବ୍ୟବହାର କରନ୍ତି, ତାହେଲେ ପୂର୍ବଅପେକ୍ଷା ଅଧିକ ୬୦ ଟଙ୍କା ଖର୍ଚ୍ଚ କରିବେ ।

ମ୍ୟାଗି: ବଡ଼ ପ୍ୟାକେଟ ଉପରେ ୨ ଟଙ୍କା ବଢ଼ିଛି, ଯଦି ମାସକୁ ୧୫ ପ୍ୟାକେଟ ଦରକାର ପଡ଼େ, ତାହେଲେ ଏବେ ଅଧିକ ୩୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି ।

ତେଲ: ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବଢ଼ିଛି

ଏଲପିଜି ଗ୍ୟାସ୍: ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ଛି

ସୁଜି: କେଜି ପିଛା ୨ରୁ ୩ ଟଙ୍କା ବଢ଼ିଛି

ମଇଦା: କେଜି ପିଛା ୨ରୁ ଅଢ଼େଇ ଟଙ୍କା ବଢ଼ିଛି

ଏସବୁ ହିସାବ ଉପରେ ନଜର ପକାଇଲେ ଅନୁମାନ କରିହେଉଛି ଯେ, ଗୋଟିଏ ପରିବାରକୁ ଏବେ ମାସକୁ ପୂର୍ବ ଅପେକ୍ଷା ହଜାରେରୁ ଦେଢ଼ ହଜାର ପର୍ଯ୍ୟନ୍ତ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି ।