ସହରାଂଚଳରେ ଗରିବଙ୍କୁ ଅଧିକ ପ୍ରଭାବିତ କରିଛି ମହଙ୍ଗା ମାଡ଼: ଖାଦ୍ୟ, ପେଟ୍ରୋଲ କିଣାରେ ଯାଉଛି ରୋଜଗାରର ଅଧିକ ଭାଗ 

157

କନକ ବ୍ୟୁରୋ: କରୋନା ବେଳେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଗରିବ ଏବଂ ମଧ୍ୟବିତ ଶ୍ରେଣୀର ଲୋକେ । ଅନେକ ଚାକିରି ହରାଇଛନ୍ତି । ଏହାପରେ ପରେ ପେଟ୍ରୋଲ, ଡିଜେଲ, ରୋଷେଇ ଗ୍ୟାସ ଏବଂ ଖାଦ୍ୟ ସାମଗ୍ରୀର ଦାମ ବୃଦ୍ଧି ଲୋକଙ୍କ ଜୀବନଶଳୀକୁ ପ୍ରଭାବିତ କରିଛି । ଆଉ ଏହାରି ଭିତରେ ଆସିଛି ନ୍ୟାସନାଲ ସାମ୍ପୁଲ ସର୍ଭେ ଅର୍ଗାନାଇଜେସନ ବା ଏନଏସଏର ରିପୋର୍ଟ ।

ଦରଦାମ ବୃଦ୍ଧି ଯୋଗୁଁ ସନ୍ତୁଳି ହେଉଛନ୍ତି ଦେଶବାସୀ । ଏହାରି ଭିତରେ ନ୍ୟାସନାଲ ସାମ୍ପୁଲ ସର୍ଭେ ଅର୍ଗାନାଇଜେସନର ରିପୋର୍ଟ ପ୍ରକାଶ କରିଛି କରୋନା ବେଳେ ସହରାଂଚଳରେ ରହୁଥିବା ଗରିବ କିଭଳି ଦିନ କାଟିଛନ୍ତି । ଏହି ସମୟ ମଧ୍ୟରେ ତୈଳ ମୁଦ୍ରାସ୍ଫୀତି ୮ ପ୍ରତିଶତରୁ ବଢି ୧୩ ଦଶମିକ ୬ ପ୍ରତିଶତ ହୋଇଛି । ସେହିପରି ଆର୍ଥିକ ବର୍ଷ ଆରମ୍ଭରୁ ଅଣ ଖାଦ୍ୟର ସାମଗ୍ରୀ ମୁଦ୍ରାସ୍ଫୀତି ୬ ପ୍ରତିଶତରେ ରହିଛି ।

କରୋନା ପାଇଁ ଲକ୍ ଡାଉନ୍ ଓ ସଟଡାଉନ୍ ରହିଥିବାବେଳେ ଦରଦାମ କିମ୍ବା ତେଲ ଦର ସ୍ଥିର ରହିଥିଲ।। କିନ୍ତୁ କରୋନା ନିୟମ କୋହଳ ହେବା ପରେ ଏହିସବୁ ଦର ବଢିଛି । ମୁଖ୍ୟତଃ ଯେଉଁମାନେ ଭଡା ନେଇ ପରିବାର ସହିତ ସହରରେ ରହୁଥିଲେ ସେମାନେ ଅଧିକ ପ୍ରଭାବିତ ହୋଇଛନ୍ତି ।

ରିପୋର୍ଟ ଅନୁଯାୟୀ ମହଙ୍ଗା ମାଡ ସମସ୍ତଙ୍କୁ ବାଧୁଥିଲେ ମଧ୍ୟ ସହରାଂଚଳ ଗରିବଙ୍କୁ ଅଧିକ ବ୍ୟତିବ୍ୟସ୍ତ କରି ପକାଇଛି । କାରଣ ସେମାନଙ୍କ ରୋଜଗାରର ଅଧିକ ଭାଗ ଖାଦ୍ୟ ସାମଗ୍ରୀ ଓ ପେଟ୍ରୋଲ କିଣାରେ ଯାଇଛି । ଗ୍ରାମାଂଚଳ ଅପେକ୍ଷା ସହରାଂଚଳ ଗରିବମାନେ ଏହି ଦୁଇଟି ଜିନିଷରେ ଅଧିକ ବ୍ୟୟ କରିଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବର ଯାଏ ଏହି ଡାଟା ନିଆଯାଇଛି ।