ଜଗନ୍ନାଥ ଦର୍ଶନ ପାଇଁ  ପୁରୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ : ଜଗା ଦର୍ଶନ ପରେ କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର ଦର୍ଶନ କରିବେ ରାଷ୍ଟ୍ରପତି

ଗସ୍ତକୁ ନେଇ ପୁରୀ ଓ କୋଣାର୍କରେ କଡ଼ା ସୁରକ୍ଷା ବନ୍ଦୋବସ୍ତ

136

କନକ ବ୍ୟୁରୋ : ପୁରୀ ପହଂଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ସକାଳ ସାଢେ ୮ଟାରେ ରାଜଭବନରୁ ବାହାରି ବିମାନ ବନ୍ଦର ଯାଇଥିଲେ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡରେ ପ୍ରାୟ ୮ଟା ୪୫ ମିନିଟରେ ପହଂଚିଛନ୍ତି । ତାଳବଣିଆ ହେଲିପ୍ୟାଡରୁ କାର ଯୋଗେ କଡ଼ା ସୁରକ୍ଷା ଭିତରେ ଭିଆଇପି ରୋଡ୍ ଓ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସିଂହଦ୍ୱାର ନିକଟରେ ସ୍ୱାଗତ କରାଯିବ ।

ଏହି ସମୟରେ ପାଳିଆ ସେବକ, ମନ୍ଦିର କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ । ସିଂହଦ୍ୱାର ନିକଟରେ ଗଜପତି ମହାରାଜ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି । ରତ୍ନସିଂହାସନ ନିକଟରେ ରାଷ୍ଟ୍ରପତି ଶ୍ରୀଜିଉଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ଏହା ପରେ ମା ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ପୁରୀ ଶ୍ରୀମନ୍ଦିର ଦର୍ଶନ ସାରି ଦିନ ୧୦ଟା ୨୫ ମିନିଟରେ କୋଣାର୍କରେ ପହଂଚିବେ । କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ ପରେ ଓଟିଡିସି ଯାତ୍ରୀ ନିବାସରେ ମଧ୍ୟାହ୍ନ ଭୋଜନ କରିବେ । ଏହା ପରେ ଅପରାହ୍ନ ୪ଟା ୧୫ ମିନିଟ୍ ରେ ସେଠାରୁ ରାଷ୍ଟ୍ରପତି ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖିରେ ରଖି ସକାଳ ସାଢେ ୭ଟାରୁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଭକ୍ତଙ୍କୁ ଛଡାଯାଉ ନାହିଁ ।

ଏହା ପରେ କୋଣାର୍କ ମନ୍ଦିର ବୁଲି ଦେଖିବା ପରେ କୋଣାର୍କ ଇଣ୍ଡିଆନ ଅଏଲ ପକ୍ଷରୁ ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ କୋଣାର୍କ ଯାତ୍ରୀ ନିବାସରେ କରିବା କାର୍ଯ୍ୟସୂଚୀ ରହିଛି । କୋଣାର୍କରେ ଏନଏସଜିର ତିନି ଜଣିଆ ଟିମ୍ ପ୍ରଥମେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବା ପରେ ପୁଲିସ ଏଡିଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । କୋଣାର୍କରେ ୪୦ ପ୍ଲାଟୁନ ପୁଲିସ ଫୋର୍ଟ ସହ ୨୫୦ ଅଫିସର ନିୟୋଜିତ ହୋଇଛନ୍ତି । ଏହାଛଡା ସମ୍ବେଦନଶୀଲ ସ୍ଥାନରେ ଏସପି ଓ ତାଙ୍କର ଜଣେ ଲେଖାଏଁ ଅଫିସର ମୁତୟନ ହୋଇଛନ୍ତି ।  ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ପାଇଁ କୋଣାର୍କର ସମସ୍ତ ସ୍ଥାନରେ ରାମନାଥ କୋବିନ୍ଦଙ୍କ ହୋର୍ଡିଂ ଲାଗିଥିବା ଦେଖିବାକୁ ମିଳିଛି ।