ବରୁଣେଇ ପାହାଡ ତଳେ ପାଇକ ବିଦ୍ରୋହ ସ୍ମାରକର ଶିଳାନ୍ୟାସ କଲେ ରାଷ୍ଟ୍ରପତି । କହିଲେ କୋଣାର୍କ ପରି ଓଡିଶାର ନୂଆ ପରିଚୟ ପାଲଟିବ ସ୍ମାରକ ।

162

କନକ ବ୍ୟୁରୋ : ଓଡ଼ିଆ ଜାତିର ବୀରତ୍ୱର ପ୍ରତୀକ, ପାଇକ ବିଦ୍ରୋହ କାହାଣୀ ଆଜି ପୁଣି ଥରେ ଜୀବନ୍ତ ହୋଇ ଉଠିଛି, ଯେତେବେଳେ ଐତିହାସିକ ବରୁଣେଇ ପାହାଡ଼ର ପାଦଦେଶରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡିଆ ଜାତିର ମହାସଂଗ୍ରାମର ୨୦୦ ବର୍ଷ ସ୍ମୃତିକୁ ଶୁଭ ଦେବା ସହ ରାଷ୍ଟ୍ରପତି କହିଛନ୍ତି, କୋଣାର୍କ ଭଳି ଓଡ଼ିଶାର ନୂଆ ପରିଚୟ ଏହି ସ୍ମାରକୀ । ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପାଇକ ବିପ୍ଲବକୁ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦାବିକୁ ପୁଣି ଥରେ ଦୋହରାଇଛନ୍ତି ।

ଯେଉଁ ପାଇକ ବିଦ୍ରୋହକୁ ନେଇ ପ୍ରତ୍ୟେକ ଓଡ଼ିଆ ଗର୍ବ ଅନୁଭବ କରେ, ଯେଉଁ ସ୍ମୃତିକୁ ମନେ ପକାଇଲେ ଓଡ଼ିଆ ଜାତିର ମନପ୍ରାଣ ଉତଫୁଲିତ ହୁଏ, ଆଜି ସେହି ସ୍ମାରକର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨୦୦ ବର୍ଷ ପୂର୍ତି ଅବସରରେ ଏହି ମହାସଂଗ୍ରାମର ମୁକସାକ୍ଷୀ ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଦଦେଶରେ ୧୦ ଏକର ଜମିରେ ନିର୍ମାଣ ହେବ ପାଇକ ବିଦ୍ରୋହ ସ୍ମାରକ । ଏହି ମାଟିକୁ ବୀରମାଟି ବୋଲି ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି ପାଇକ ବିଦ୍ରୋହ ସ୍ମାରକ ଆଗାମୀ ପିଢୀ ପାଇଁ ପ୍ରେରଣାର ସ୍ରୋତ ପାଲଟିବ ।

୧୮୫୭ର ସିପାହୀ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଉଥିଲେ ବି ଏହାର ୪୦ ବର୍ଷ ପୂର୍ବରୁ ହୋଇଥିଲା ପାଇକ ବିଦ୍ରୋହ । ୧୮୧୭ରେ ବ୍ରିଟିଶ ସରକାରକୁ ଏ ଦେଶରୁ ତଡ଼ିଦେବା ପାଇଁ ଅଂଟା ଭିଡିଥିଲା ଓଡ଼ିଆ ପୁଅ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବକ୍ସି ଜଗବନ୍ଧୁଙ୍କ ନାଁରେ ଏକ ଏକ୍ସପ୍ରେସ ଟ୍ରେନ୍ ଚଳାଇବାକୁ ମଧ୍ୟ ସେ ଦାବି କରିଛନ୍ତି ।

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଥିଲେ, ଉତ୍କଳ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ ପାଇକ ବିଦ୍ରୋହ । କୋଣାର୍କ ପରି ଏହି ସ୍ମାରକ ଓଡିଶାର ନୂଆ ପରିଚୟ ପାଲଟିବ । ପାଇକ ବିଦ୍ରୋହକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ଡାକଟିକଟ ଓ ମୁଦ୍ରା ପ୍ରଚଳିତ କରିଥିବା କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପାଇକ ବିଦ୍ରୋହ ସ୍ମାରକ ଶିଳାନ୍ୟାସ ଅବସରରେ ଖୋର୍ଦ୍ଧା ଅଂଚଳରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ପାରମ୍ପରିକ ପୋଷାକ ପରିଧାନ କରି ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ ସ୍ଥାନୀୟ ବାସିନ୍ଦା । ଏହି ଉତ୍ସବରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଳାଦ ସିଂହ ପଟେଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ୱାଧୀନତା ସଂଗ୍ରାମୀ ପରିବାରର ସଦସ୍ୟମାନେ ଉପସ୍ଥିତ ରହିଥିଲେ ।