କନକ ବ୍ୟୁରୋ: କାମ ଯେତେ ଗଡ଼ିବ ପଇସା ସେତେ ବଢିବ । ଏଇ ନ୍ୟାୟରେ ଚାଲିଛି କଳିଙ୍ଗ ଷ୍ଟୁଡ଼ିଓ କାମ । ୨୦୦ କୋଟି ଖର୍ଚ୍ଚର ହିସାବ ମିଳୁନାହିଁ । ଏପଟେ ପୁଣି ନୂଆ ସରକାର ଯୋଗାଇ ଦେଇଛନ୍ତି ୨୦ କୋଟି ଟଙ୍କା । ଯାହା ଉପରେ ସିନେ ନିର୍ମାତା ସମ୍ପୂର୍ଣ୍ଣ ନିର୍ଭରଶୀଳ ତାର ନିର୍ମାଣ ପାଇଁ ସମୟ ଗଡ଼ି ଚାଲିଥିବା ବେଳେ ପାଇ ପାଇର ହିସାବ ମାଗିଛନ୍ତି ସିନେ ନିର୍ମାତା ଓ ସିନେ ସମୀକ୍ଷକ ।

କେବେ ହେବ କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର? ୧୯୯୯ ମହାବାତ୍ୟା ପରେ ଜରାଜୀର୍ଣ୍ଣ ହୋଇ ପଡ଼ିଥିଲା କଳିଙ୍ଗ ଷ୍ଟୁଡ଼ିଓ । ପୁନଃନିର୍ମାଣ ପାଇଁ ପୂର୍ବ ସରକାର ୨୦୦ କୋଟି ଟଙ୍କା ଦେଇଥିଲେ । ହେଲେ ଏତେ ଟଙ୍କା କୁଆଡ଼େ ଗଲା ତାର ହିସାବ ମିଳୁନି । କାହିଁକି ଆଜି ଯାଏଁ ନିର୍ମାଣ ଶେଷ ହୋଇ ପାରିନି ତାର ଉତ୍ତର ଖୁବଶୀଘ୍ର ସାମ୍ନାକୁ ଆସିବ ବୋଲି କହିଛନ୍ତି ଅଭିନେତା ତଥା ବିଜେପି ନେତା ଶ୍ରୀତମ ଦାସ ।

୧୯୮୨ରେ ୨୫ ଏକର ଜାଗାରେ ନିର୍ମାଣ ହୋଇଥିଲା କଳିଙ୍ଗ ଷ୍ଟୁଡ଼ିଓ
ନିର୍ଭର କରୁଥିଲେ ରାଜ୍ୟ ଓ ରାଜ୍ୟ ବାହାର ଫିଲ୍ମ ନିର୍ମାତା
ମାତ୍ର ୪୫ ଦିନରେ ଗୋଟିଏ ଜାଗାରେ ହେଉଥିଲା ସିନେମା

ଏବେ ନା ଅଛି କୋର୍ଟରୁମ୍, ନା ଅଛି ଥାନା ହାଜତ । ଏମିତିକି ପୂର୍ବରୁ ଥିବା ମନ୍ଦିର, ଗାଁ ଦୃଶ୍ୟ ମଧ୍ୟ ଆଉ ନାହିଁ । ଯଦି ଏହି ଷ୍ଟୁଡ଼ିଓ ଓଡ଼ିଆ ସିନେମା ପାଇଁ ନିର୍ମାଣ କରାଯାଇଛି ତାହାହାଲେ ଏଥିରେ ଓଡ଼ିଆ ଅସ୍ମିତାର ଛାପ କାହିଁ ବୋଲି ପ୍ରଶ୍ନ କରିଛନ୍ତି ସିନେ ନିର୍ମାତା ଓ ସମୀକ୍ଷକ ।

ମାଳ ମାଳ ପ୍ରଶ୍ନ ଭିତରେ ଛନ୍ଦି ହୋଇ ରହିଛି କଳିଙ୍ଗ ଷ୍ଟୁଡ଼ିଓ । ଏପଟେ ସରକାର ଓଡ଼ିଆ କଳା ସଂସ୍କୃତିର କଥା କହୁଥିବା ବେଳେ ଏହି ଷ୍ଟୁଡ଼ିଓରେ ତାର ଛାପ କେବେ ଦେଖିବାକୁ ମିଳିବ ତାକୁ ହିଁ ଅପେକ୍ଷା ।