କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ଜମୁଛି ପ୍ରଚାର । ନେତା ମାନେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରତିଶ୍ରୁତିର ପାହାଡ ଠିଆ କରି ଦେଉଛନ୍ତି । କିନ୍ତୁ ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପ୍ରତାରଣରେ ପରିଣତ ହେବାପରେ ପ୍ରାର୍ଥୀଙ୍କୁ ପାଖରେ ପୁରାଇ ଦେଉନାହାନ୍ତି ଲୋକେ । ଆଗ ଆବଶ୍ୟକତା ପୁରଣ କର, ତା ପରେ ଭୋଟ । ଏଭଳି ଚେତାବନୀ ଦେଇଛନ୍ତି ଅସ୍ତରଙ୍ଗ ବ୍ଳକ୍ ଆଳଙ୍ଗପୁର ପଂଚାୟତ ବରପଦା ଗାଁର ଭୋଟର ।

Advertisment

ଆବାସ ନାହିଁ ତ ଭୋଟ ନାହିଁ । ନିର୍ବାଚନ ପୂର୍ବରୁ ଏଭଳି ଚେତାବନୀ ଦେଇଛନ୍ତି ଅସ୍ତରଙ୍ଗ ଆଳଙ୍ଗପୁର ପଂଚାୟତ ବରପଦା ଗାଁର କୁନିଲତାଙ୍କ ପରିବାର । ଘର ଖଣ୍ଡିଏ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଏବେ ଭୋଟ୍ ବର୍ଜନ ଚେତାବନୀ ଦେଇଛନ୍ତି । ପ୍ରଥମେ ଭଙ୍ଗା ଦଦରା ଘରେ ରହୁଥିଲେ କୁନିଲତା ଓ ତାଙ୍କ ପରିବାର । ଏହାପରେ ଧାର କରଜ କରି ମଜୁରୀ ଲାଗି ଆଜବେଷ୍ଟସ୍ ଘର ଖଣ୍ଡେ କରିଥିଲେ । ବାତ୍ୟା ପବନ ମାଡରେ ଘର କାନ୍ଥ ସବୁ ଫାଟିି ଆଁ କରିଥିବା ବେଳେ ଆଜବେଷ୍ଟସ୍ରୁ ପାଣି ଗଳୁଛି । ଘରେ ସାପ ବେଙ୍ଗ ଆଶ୍ରୟ ନେଲେଣି । ଏହାରି ଭିତରେ ଜୀବନ କାଟୁଛନ୍ତି କୁନିଲତା ଓ ତାଙ୍କ ପରିବାର । ତେଣୁ ଆଉ ପ୍ରତିଶ୍ରୁତି ନୁହେଁ ଘର ଖଣ୍ଡିଏ ଯୋଗାଇଦେଲେ ଭୋଟ୍ ଦେବେ ବୋଲି ପୁରା ପରିବାର ରୋକଠୋକ୍ ଶୁଣାଇଛନ୍ତି ।

ନିର୍ବାଚନ ପରେ ନିର୍ବାଚନ ଆସୁଛି ଯାଉଛି କିନ୍ତୁ କୁନିଲତା ପରିବାରକୁ ଆଜି ସୁଦ୍ଧା ଆବାସ ଘର ମିଳିନି । ଏବେ ପୁଣି ପଞ୍ଚାୟତ ନିର୍ବାଚନ ଆସିଥିବାରୁ ପ୍ରାର୍ଥୀ ଆଉ ନେତା କୁନିଲତାଙ୍କ ଘର ପାଖକୁ ଭୋଟ ମାଗିବାକୁ ଆସୁଛନ୍ତି । ଯେଉଁ ସରପଂଚ ତାଙ୍କୁ ଘର ଖଣ୍ଡେ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଆଜିର ନିର୍ବାଚନରେ ସେ ପୁଣି ପ୍ରାର୍ଥୀ ହୋଇ ଭୋଟ ଭିକ୍ଷା କରୁଛନ୍ତି ।

୨୦୧୨ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟା ପ୍ରାର୍ଥୀ ହୋଇ ଅଳ୍ପ ଭୋଟରେ ହାରିଯାଇଥିଲେ କୁନିଲତା । ସେଦିନ ବାସହରାଙ୍କୁ ଆବାସ ଖଣ୍ଡେ ଦେବାକୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ । ହେଲେ ନିର୍ବାଚନରେ ସେ ହାରିଯିବା ପରେ ଆଶା ଆଶାରେ ରହିଯାଇଥିଲା । ଏବେ ନିଜର ଘର ଖଣ୍ଡିଏ ପାଇଁ ଭୋଟ୍ ବର୍ଜନ ଚେତାବନୀ ଦେଇଛନ୍ତି କୁନିଲତାଙ୍କ ପରିବାର ।