‘କରୋନା’ ପ୍ରଭାବିତ ଅଞ୍ଚଳରୁ ଫେରିଲେ କରିବେ କଣ ? ପଢନ୍ତୁ, ବୁଝନ୍ତୁ ଏବଂ ସତର୍କତା ଅବଲମ୍ବନ କରନ୍ତୁ…

1,661

କନକ ବ୍ୟୁରୋ: କରୋନା କବଳରେ ସାରା ବିଶ୍ୱ । ଭୟଙ୍କର ରୂପ ନେଇ ବଢି ଚାଲିଥିବା ଏହି ମହାମାରୀ ଭୁତାଣୁ ଏବେ ଓଡିଶାରେ ମଧ୍ୟ ସୃଷ୍ଟି କରିଛନ୍ତି ଆତଙ୍କ । ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏବେ ଚାରିଆଡେ ଖେଳିଯାଇଛି ଭୟର ବାତାବରଣ । ତେବେ ଏଭଳି ପରିସ୍ଥିତିରେ ଏହାର ମୁକାବିଲା ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର । ଯୁଦ୍ଧକାଳୀନ ଭିତିରେ କରୋନା ମୁକାବିଲା ପାଇଁ ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ତେଣୁ କରୋନାକୁ ନେଇ କୌଣସି ଗୁଜବକୁ ବିଶ୍ୱାସ ନକରି କିମ୍ବା ଭୟଭୀତ ନହୋଇ କିଭଳି ଆପଣ ସତର୍କତା ଅବଲମ୍ବନ କରିବେ ସେ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଯଦି ଆପଣ କରୋନା ପ୍ରଭାବିତ ଅଂଚଳରୁ ଫେରିଛନ୍ତି କିମ୍ବା କୌଣସି ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି, ତେବେ ୧୪ ଦିନ ପର୍ଯ୍ୟନ୍ତ ଗୃହ ପୃଥକୀକରଣରେ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । କାରଣ ସଚେତନା ହିଁ ଏହି ଭୟଙ୍କର ଭୁତାଣୁରୁ ରକ୍ଷା ପାଇବାର ଏକମାତ୍ର ମାଧ୍ୟମ ।

• ମୁକ୍ତ ବାୟୁ ଚଳାଚଳ କରୁଥିବା ଏବଂ ଏସି ଲଗାଯାଇନଥିବା କକ୍ଷ ବ୍ୟବହାର କରନ୍ତୁ

• ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତି ସ୍ୱତନ୍ତ୍ର ଶୌଚାଳୟ ବ୍ୟବହାର କରିବା ଉଚିତ

• ରୋଗୀର ବାସନ, ବିଛଣାପତ୍ର ଓ ଅନ୍ୟାନ୍ୟ ଜିନିଷ ଅନ୍ୟମାନେ ବ୍ୟବହାର କରିବା ଅନୁଚିତ

• ନିଜର ପରିଚ୍ଛନ୍ନତା ପାଇଁ ଧ୍ୟାନ ଦିଅନ୍ତୁ

• ସଂକ୍ରମିତ ଚାଦର, ଗାମୁଛା ଏବଂ ଅନ୍ୟାନ୍ୟ କପଡାକୁ ଭଲ ଭାବରେ ସାବୁନରେ ସଫାକରି ଖରାରେ ଶୁଖାନ୍ତୁ

• ଭୁତାଣୁ ନାଶକ ଦ୍ୱାରା ଆସବାବ ପତ୍ର, ହାତଧୂଆ ବେସିନ ଏବଂ ଶୌଚାଳୟକୁ ସଫା ରଖନ୍ତୁ

• ଦିନ ବେଳା ଝରକା ଖୋଲା ରଖନ୍ତୁ

• ବାରମ୍ବାର ଭଲଭାବରେ ସାବୁନରେ ହାତ ଧୁଅନ୍ତୁ

• କାଶ ବା ଛିଙ୍କ ସମୟରେ ମୁହଁକୁ କହୁଣୀ ବା ରୁମାଲ ବା ଟିସୁ ପେପର ଦ୍ୱାରା ଘୋଡାଇ ରଖନ୍ତୁ

• ଘରକୁ କୀଟାଣୁ ନାଶକ ଦ୍ରବଣ ଦ୍ୱାରା ସଫା କରନ୍ତୁ

• ସେବା ପ୍ରଦାନକାରୀଙ୍କ ପାଇଁ କକ୍ଷ ସମ୍ମୁଖରେ ସାବୁନ ଓ ପାଣିରେ ହାତ ଧୋଇବାର ବ୍ୟବସ୍ଥା କରାନ୍ତୁ

• ଯଦି ଆପଣ କର୍ମଜୀବୀ ତେବେ ଆପଣ କାମ କରୁଥିବା ପରିବେଶକୁ ପରିସ୍କାର ପରିଚ୍ଛନ୍ନ ରଖନ୍ତୁ

• ହ୍ୟାଣ୍ଡସେକରୁ ଦୂରେଇ ରୁହନ୍ତୁ

• ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ

ସେହିଭଳି କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ସ୍ୱଚ୍ଛତା, ସାବଧାନତା ଏବଂ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଜ୍ୱର, କାଶ କିମ୍ବା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କଲେ ଭୟଭୀତ ନହୋଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।