କନକ ବ୍ୟୁରୋ: ଋଷର ୟୁକ୍ରେନ ଆକ୍ରମଣକୁ ମାସେ ହେଲାଣି । ଏହା ଭିତରେ ମସ୍କୋକୁ କଡା ଜାବାବ ଦେବକୁ ୟୁକ୍ରେନ ପାଇଁ ଆଗେଇ ଆସିଛନ୍ତି ପାଶ୍ଚାତ୍ୟ ନେତା । ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ), ୟୁରୋପୀୟ ସଂଘ(ଇୟୁ) ଏବଂ ଜି -୭ ସଦସ୍ୟ ରାଷ୍ଟ୍ରଗୁଡିକ ବେଲଜିୟମର ବ୍ରସେଲ୍ସରେ ଏକାଠି ହୋଇଛନ୍ତି । ତୁରନ୍ତ ଯୁଦ୍ଧ ବନ୍ଦ ପୂର୍ବକ ୟୁକ୍ରେନରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ନାଟୋ ନେତାମୋନେ ଚାପ ପକାଇଛନ୍ତି । ଆକ୍ରମଣରେ ସହଯୋଗ ବନ୍ଦ କରିବାକୁ ବେଲାଋଷକୁ ମଧ୍ୟ କୁହାଯାଇଛି ।

Advertisment

ନାଟୋ ମହାସଚିବ ଜେନ୍ସ ଷ୍ଟୋଲେନବର୍ଗ ବ୍ରସେଲ୍ସରେ ରୁଦ୍ଧଦ୍ୱାର ସମ୍ମିଳନୀକୁ ଉଦଘାଟନ କରି କହିଛନ୍ତି ଯେ, ଆମ ସୁରକ୍ଷା ଉପରେ ମହାସଙ୍କଟ ସୃଷ୍ଟି ହୋଇଥିବା ସମୟରେ ଆମେ ଏକାଠି ହୋଇଛେ । ୟୁକ୍ରେନର ସାର୍ବର୍ଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ଋଷର ଆକ୍ରମଣକୁ ନିନ୍ଦା କରିବା ପାଇଁ ଆମେ ଏକତ୍ରିତ । ଏହି ଆକ୍ରମଣ ହେଉଛିି ସାମ୍ପ୍ରତିକ ପିଢିରେ ସର୍ବବୃହତ ସୁରକ୍ଷା ସଙ୍କଟ । ଆମ ନିଜ ସହଯୋଗୀ ରାଷ୍ଟ୍ରର ଲୋକଙ୍କ ସୁରକ୍ଷା ପାଇଁ ମିଳିତ ଭାବେ ଉଦ୍ୟମ ଜାରିରଖିଛୁ । ପୁଟନଙ୍କ ୟୁକ୍ରେନ ଆକ୍ରମଣ ଆମ ସୁରକ୍ଷା ପରିବେଶକୁ ବଦଳାଇଦେଇଛି । ନାଟୋ ମଧ୍ୟ ଦୀର୍ଘସୂତ୍ରୀ ଲଢେଇ ପାଇଁ ପ୍ରସ୍ତୁତ ଥିବା କହିଛି । ଋଷକୁ ଜାବାବ ଦେବା ପାଇଁ ସ୍ଲୋଭାକିଆ, ହଙ୍ଗେରୀ, ବୁଲଗେରିଆ ଓ ରୋମାନିଆକୁ ୪୦,୦୦୦ ସୈନ୍ୟଙ୍କୁ ପଠାଇବାକୁ ନାଟୋରେ ସହମତି ପ୍ରକାଶ ପାଇଛି ।

ତେବେ ରାସାୟନିକ ଅସ୍ତ୍ର ଏହି ସଂଘର୍ଷର ପରିଭାଷା ବଦଳାଇଦେଇପାରେ । ଏହା ଅନ୍ତର୍ଜାତୀୟ ଆଇନର ଖୋଲା ଉଲଂଘନ । ତେଣୁ ଜୈବିକ, ରାସାୟନିକ, ରୋଡିଓଲୋଜିକାଲ ଏବଂ ଆଣବିକ ବିପଦରୁ ୟୁକ୍ରେନକୁ ରକ୍ଷା କରିବାକୁ ସହଯୋଗ ଦିଗରେ ସାଇବର ପ୍ରତିରକ୍ଷାକୁ ମଜବୁତ୍ କରାଯିବ ବୋଲି ନାଟୋ ମହାସଚିବ କହିଛନ୍ତି । ନାଟୋ ସମ୍ମିଳନୀକୁ ବଦଦେଇ ବ୍ରସେଲ୍ସରେ ପୃଥକ୍ ଭାବେ ୭ଟି ଶିଳ୍ପ ବିକଶିତ ରାଷ୍ଟ୍ର ଜି-୭ ଏବଂ ଇୟୁର ସ୍ୱତନ୍ତ୍ର ସମ୍ମିଳନୀ ହୋଇଛି । ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଯୋଗ ଦେଇଛନ୍ତି ।