କନକ ବ୍ୟୁରୋ: ଆଜି ଆଇଏଏସ ସ୍ତରରେ ସାମାନ୍ୟ ଅଦଳବଦଳ ହୋଇଛି । ଏହି ଅଦଳବଦଳରୁ ଗୋଟିଏ କଥା ସାମ୍ନାକୁ ଆସିଛି ,ବିଶ୍ୱସ୍ତ ଅଫିସରଙ୍କ ଉପରେ ଚାପ ବଢୁଛି । ଗୋଟିଏ ପଟେ ରାଜ୍ୟରେ ଆଇଏଏସ ଅଭାବ ଦେଖାଦେଇଥିବାବେଳେ ସଂଜୟ ସିଂଙ୍କ ଭଳି ଅଫିସରଙ୍କୁ ମିଳିଛି ୫-୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ । ଦେଓରଞ୍ଜନ ସିଂଙ୍କ ପାଖରେ ରହିଛି ୪ଟି ବିଭାଗ । ଭି.ବି ଯାଦବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବାବେଳେ ତାଙ୍କୁ ମଧ୍ୟ ଅନ୍ୟ ବିଭାଗ ଦିଆଯାଇଛି । ଯାହା ସ୍ପଷ୍ଟ କରୁଛି ବାବୁଙ୍କ ଉପରେ ଚାପ ବଢୁଛି ।

Advertisment
  • ରାଜ୍ୟରେ ଆଇଏଏସ ସଙ୍କଟ
  • ଜଣେ ସଚିବଙ୍କ ପାଖରେ ୫ ବିଭାଗ
  • ବାବୁଙ୍କ ଉପରେ ବଢୁଛି ଚାପ

ସଂଜୟ ସିଂ: ଏହି ଆଇଏଏସ ଅଧିକାରୀଙ୍କୁ ସରକାର ଦେଇଛନ୍ତି ଜିଏସଟି କମିଶନର ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । କିନ୍ତୁ ଏହା ପୂର୍ବରୁ ତାଙ୍କ ପାଖରେ ୪ଟି ବିଭାଗ ରହିଛି । ଏଗୁଡିକ ହେଲା ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସମ୍ପର୍କ, ବିଡିଏ ଉପାଧ୍ୟକ୍ଷ, ସ୍ମାର୍ଟ ସିଟିର ଏମଡି । ଏହାକୁ ମିଶାଇ ତାଙ୍କ ପାଖରେ ମୋଟ ୫ ବିଭାଗ ରହିଛି । ତେଣୁ ଜଣେ ଅଫିସରଙ୍କୁ ଅନେକ ବଡ ବିଭାଗ । ତେଣୁ ତାଙ୍କ ଉପରେ ଚାପ ରହିବା ସ୍ୱାଭାବିକ ।

ଦେଓରଞ୍ଜନ ସିଂହ: ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଧିକାରୀ । ତାଙ୍କ ପାଖରେ ଏବେ ମୋଟ ୪ଟି ବଡ ବଡ ବିଭାଗ ରହିଛି । ସେଗୁଡିକ ହେଲା, ଇସ୍ପାତ ଓ ଖଣି, ଓଡିଶା ଖଣି ନିଗମ ଅଧ୍ୟକ୍ଷ, ଇଡକୋ ଚେୟାରମ୍ୟାନ ଏବଂ ଅବକାରୀ ବିଭାଗର ପ୍ରମୁଖ ସଚିବ । ତେଣୁ ବାବୁଙ୍କ ଉପରେ କେତେ ବୋଝ ରହୁଥିବ ତାହା ଅନୁମାନ କରାଯାଇପାରେ ।

ଭୀର ବିକ୍ରମ ଯାଦବ: କ୍ଷମତାକେନ୍ଦ୍ରର ସବୁଠାରୁ ବିଶ୍ୱସ୍ଥ ଅଫିସର ଏହି ଅଧିକାରୀଙ୍କ ପାଖରେ ବି ରହିଛି ଅନେକ ବଡ ବଡ ବିଭାଗ । ସେ ଶ୍ରୀମନ୍ଦି ମୁଖ୍ୟ ପ୍ରଶାସକ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି । ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟରେ ତାଙ୍କର ବି ପ୍ରମୁଖ ଭୂମିକା ରହିଛି । ଏହାପରେ ତାଙ୍କ ପାଖରେ ପଛୁଆ ବର୍ଗ ଅଧ୍ୟକ୍ଷ, ପୂର୍ତ୍ତ , ଖାଦ୍ୟ ଯୋଗାଣ ଭଳି ବଡ ବଡ ବିଭାଗ ଅଛି । ସେହିଭଳି ବିଷ୍ଣୁପଦ ସେଠୀ, ଜି. ମାଥ୍ୟୁଭାଥନ ଓ ହେମନ୍ତ ଶର୍ମାଙ୍କ ଭଳି ଆଇଏଏସଙ୍କ ପାଖରେ ବି ଅନେକ ବିଭାଗ ରହିଛି ।

ରାଜ୍ୟରେ ଶାସନ ଚଳାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଅଭାବ ପଡିଛି । ଜଣକ ପରେ ଜଣେ ଆଇଏଏସ କେନ୍ଦ୍ରୀୟ ଡେପୁଟେସନରେ ଯାଉଥିବା ବେଳେ ଆଉ କିଛି ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେଉଛନ୍ତି । ସେପଟେ ଦକ୍ଷ ଅଫିସରଙ୍କ ବଦଳରେ ବିଶ୍ୱସ୍ତ ଅଫିସରଙ୍କୁ ମିଳୁଛି ପୁଳା ପୁଳା ବିଭାଗ, ଯାହାକୁ ନେଇ ଅସନ୍ତୋଷ ବଢୁଛି । କେନ୍ଦ୍ର ସରକାର ଦେଇଥିବା ତଥ୍ୟ ଅନୁସାରେ, ଓଡିଶାରେ ୨୩୭ ଆଇଏଏସ ଅଧିକାରୀଙ୍କ ଆବଶ୍ୟକତା ପଡୁଛି । କିନ୍ତୁ ବର୍ତ୍ତମାନ ୧୭୫ ଜଣ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଛନ୍ତି । ୬୨ ପଦବୀ ଏବେ ବି ଖାଲି ପଡିଛି । ତେଣୁ ବାବୁଙ୍କ ଉପରେ ଚାପ ବଢୁଛି ।