ପୁଣି ଫେରିଲା ବୈଜୟନ୍ତଙ୍କ ବାହାମାସ ଲିଙ୍କ । ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ଉଠିଲା ପ୍ରଶ୍ନ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ତାଙ୍କ ପତ୍ନୀ ଜଗିମଙ୍ଗତ ପଣ୍ଡାଙ୍କ ମନି ଲଣ୍ଡରିଂ, ହାଓଲା କାରବାର, ଟିକସ ଫାଙ୍କି, ଆର୍ଥିକ ଠକେଇ ଭଳି ପ୍ରସଙ୍ଗ ପୁଣି ରାଜନୀତିରେ ଚର୍ଚ୍ଚା ପାଲଟିଛି । ୨୦୧୯ରେ ବୈଜୟନ୍ତଙ୍କ ବାହାମାସ ଲିଙ୍କ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ମଲ୍‌ଟି ଏଜେନିସୀ ଗ୍ରୁପ ଜରିଆରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ହେଲେ ତଦନ୍ତ ଆଗକୁ ଯାଉନଥିବା ନେଇ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛନ୍ତି ସ୍ତମ୍ଭକାର, ସମାଜସେବୀ ଓ ଆଇନଜୀବୀ ।

Advertisment

ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଏବଂ ତାଙ୍କର ସହଯୋଗୀ ମଂଜୁଳା ଦେବୀଙ୍କ ନାଁରେ ମନି ଲଣ୍ଡରିଂକୁ ନେଇ ଗତବର୍ଷ ଜାନୁଆରୀ ମାସରେ ଅଭିଯୋଗ ଆସିଥିଲା । ଇଣ୍ଡିଆନ ଏକ୍ସପ୍ରେସରେ ସେତେବେଳେ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା, ମନି ଲଣ୍ଡରିଂ ଆଇନ, ବ୍ଲାକ ମନି ଆଇନ ଏବଂ ଆୟକର ଆଇନକୁ ସେମାନେ ଉଲଙ୍ଘନ କରିଛନ୍ତି । ମିଛ କମ୍ପାନୀ ଗଠନ କରି ଏମାନେ ପ୍ରାୟ ୧୮ କୋଟି ଟଙ୍କା ବିଦେଶରୁ ହାସଲ କରିଛନ୍ତି । କିନ୍ତୁ ଏହି ଟଙ୍କା ପ୍ରକୃତରେ କେଉଁଠାରୁ ଆସୁଛି ତାର କୌଣସି ରେକର୍ଡ ନାହିଁ ବୋଲି ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ମାମଲା ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲା । ୨୦୨୦ ଫେବ୍ରୁଆରୀ ୭ ତାରିଖରେ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ସେପଟେ ଓଟିଭି କର୍ତ୍ତୃପକ୍ଷ ଏହାକୁ ମିଛ ଓ ମନଗଢ଼଼ା କହିଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ରଖାଯାଇଛି । ଏହାକୁ ପୁରୁଣା ଅଭିଯୋଗର ପୁନରାବୃତ୍ତି ଯୁକ୍ତି ଦର୍ଶାଇଛି ବୈଜୟନ୍ତଙ୍କ କାର୍ଯ୍ୟାଳୟ । ପୂର୍ବରୁ ଏହି ସମସ୍ତ ଅଭିଯୋଗକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି ବୋଲି ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିବା ତାଙ୍କ ପରିବାର ମାଲିକାନାରେ ଥିବା ଓଟିଭି ଚ୍ୟାନେଲରେ ପ୍ରସାରିତ ହୋଇଛି ।