ପ୍ରେସମିଟରେ କାନ୍ଦିଲେ ପ୍ରସାଦ । କହିଲେ, ଲଢିବେନି ୨୦୨୪ ନିର୍ବାଚନ, ଶୀର୍ଷ ନେତୃତ୍ୱ ଉପରେ ଉଠାଇଲେ ପ୍ରଶ୍ନ ।

181

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ଜୋରଦାର ରଣନୀତି ପ୍ରସ୍ତୁତ କରୁଛନ୍ତି । ଅପରପକ୍ଷରେ କିନ୍ତୁ ଦଳୀୟ କନ୍ଦଳରେ ଘାଣ୍ଟି ହେଉଛି କଂଗ୍ରେସ । ପୁରୀର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ କୌଣସି ପ୍ରାର୍ଥୀ ନିର୍ବାଚନ ନ ଲଢିବା ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ସାମ୍ବାଦିକ ସମ୍ମିଳନୀ କରି ଜବାବ ରଖିବା ସହ ଶୀର୍ଷ ନେତୃତ୍ୱ ଉପରେ ବିଷ ଓଗାଳିଛନ୍ତି । ଏବଂ ଭାବବିହ୍ୱଳ ହୋଇ କହିଛନ୍ତି, ସେ ବ୍ୟବସାୟୀ ନୁହନ୍ତି । କଂଗ୍ରେସ ସହ ସେ ଥିଲେ, ରହିଛନ୍ତି ଓ ରହିଥିବେ ।

ସତ୍ୟବାଦୀରୁ କଂଗ୍ରେସ ଗାଏବ ପ୍ରସଙ୍ଗ । ମୁହଁ ଖୋଲିଲେ ପ୍ରସାଦ ହରିଚନ୍ଦନ । ପଞ୍ଚାୟତ ନର୍ବାଚନକୁ ନେଇ ବିଜେଡି ଓ ବିଜେପି ଜୋରଦାର ରଣନୀତି କରୁଥିବା ବେଳେ କଂଗ୍ରେସ କିନ୍ତୁ ଅନ୍ତଦ୍ୱର୍ନ୍ଦ୍ୱରେ ଘାଣ୍ଟି ହେଉଛି । କଂଗ୍ରେସ ବନାମ କଂଗ୍ରେସ ଭିତରେ ଲଢେଇ ଚାଲିଛି । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଗୋଟିଏ ହେଲେ ବି ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ପ୍ରାର୍ଥୀ ନଦେବା ପରେ ଚର୍ଚ୍ଚାକୁ ଆସିଥିଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଏ ନେଇ ତର୍କ ବିତର୍କ ଚାଲିଥିବା ବେଳେ ଗଣମାଧ୍ୟମରେ ଜବାବ ରଖି ଶୀର୍ଷ ନେତୃତ୍ୱ ଉପରେ ବିଷ ଓଗାଳିଛନ୍ତି ପ୍ରସାଦ ।

ପ୍ରେସମିଟରେ କାନ୍ଦିଲେ ପ୍ରସାଦ । କହିଲେ, ଲଢିବେନି ୨୦୨୪ ନିର୍ବାଚନ । ପ୍ରେସମିଟରେ ଭାବବିହ୍ୱଳ ହୋଇ ପଡିଥିଲେ ପ୍ରସାଦ ହରିଚନ୍ଦନ । କହିଥିଲେ, କଂଗ୍ରେସ ସହ ସେ ଥିଲେ, ରହିଛନ୍ତି ଓ ରହିଥିବେ । ସେ କାହା ସହ ଡିଲ କରିନାହାନ୍ତି କି କେଉଁ ଦଳକୁ ଯିବାର ନାହିଁ । ୨୦୨୪ ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ରୋକ ଠୋକ କହିଛନ୍ତି ପ୍ରସାଦ ହରିଚନ୍ଦନ । କିନ୍ତୁ ରାଜନୈତିକ ଜୀବନରେ ରହିବେ ଆଉ ଦଳ ପାଇଁ କାମ କରିବେ । ଅନ୍ୟପଟେ ପ୍ରସାଦ ହରିଚନ୍ଦନଙ୍କ ପ୍ରତିକ୍ରିୟା ଉପରେ ଜବାବ ରଖିଛନ୍ତି କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ । ସେ କହିଛନ୍ତି, ପ୍ରସାଦଙ୍କର ଯାହା ଅଭିଯୋଗ ଅଛି ତାହା ଦଳର ହାଇକମାଣ୍ଡଙ୍କ ପାଖରେ ଉପସ୍ଥାପନ କରନ୍ତୁ । କିନ୍ତୁ ମିଡିଆରେ ଏଭଳି ଆକ୍ଷେପ କରିବା ଠିକ୍ ହେଉନାହିଁ ।

କଂଗ୍ରେସ ନେତାଙ୍କ ଆକ୍ଷେପ-ପ୍ରତି ଆକ୍ଷେପ ଦର୍ଶାଉଛି ଦଳୀୟ ଅନ୍ତର୍କନ୍ଦଳ ତୀବ୍ର ହେବାରେ ଲାଗିଛି । ବିଜେପି ଓ ବିଜେଡି ବିରୋଧରେ ନଲଢି ପରସ୍ପର ସହ ଲଢୁଛନ୍ତି ନେତା । ପଞ୍ଚାୟତ ନିର୍ବାଚନ ରାଜ୍ୟ ରାଜନୀତିକୁ ସରଗରମ କରିଥିବା ବେଳେ ଦଳ ଭିତରେ ଚାଲିଛି କାଦୁଅ ଫୋପଡ଼ା ରାଜନୀତି । ପରସ୍ପରକୁ ଦୋଷ ଦେଉଛନ୍ତି ନେତା । ଏଠି ପ୍ରଶ୍ନ ଉଠୁଛି, ସତ୍ୟବାଦୀରେ ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ପ୍ରାର୍ଥୀ ନଦେବା ଘଟଣାରେ କିଏ ରହିବେ ଦାୟୀ ?