ରାଜନୀତିରେ ଚାଷ ଓ ମରୁଡ଼ି : ଫସଲ ବୀମା ପ୍ରସଙ୍ଗରେ ବିଜେଡିର କେନ୍ଦ୍ରକୁ ଟାର୍ଗେଟ

ସେପଟେ ମରୁଡ଼ି ଅଂଚଳ ବୁଲିବା ପାଇଁ ୪ଟି କମିଟି ଗଠନ କଲା ବିଜେପି

273

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି । ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ବଲାଙ୍ଗୀର, ନୂଆପଡା, କଳାହାଣ୍ଡିର ଲକ୍ଷାଧିକ ଚାଷୀ ଫସଲବୀମା ଯୋଜନା ଦ୍ବାରା ପ୍ରଭାବିତ ହୋଇଛନ୍ତି । ୨୦୨୦ ସୁଦ୍ଧା ବୀମା କମ୍ପାନୀ ଗୁଡ଼ିକ ରାଜ୍ୟରୁ ୬ ହଜାର ୧୬୩ କୋଟି ଟଙ୍କା ଆଦାୟ କରିଥିବା ବେଳେ ଚାଷୀଙ୍କୁ ଦେଇଛନ୍ତି ୫ ହଜାର ୯୮ କୋଟି । ଫଳରେ ବୀମା ବୀମା କମ୍ପାନୀ ହଜାରେ କୋଟିରୁ ଅଧିକ ଟଙ୍କାର ଲାଭ କରିଥିବା ବିଜେଡି କହିଛି ।

୨୦୧୮ରୁ ଓଡ଼ିଶାର ଚାଷୀମାନେ ୨ହଜାର ୯୦କୋଟି ଟଙ୍କା ବୀମା ଦାବି କରିଥିଲେ ମଧ୍ୟ ଏହାର ୫୦ ପ୍ରତିଶତ ଲୋକଙ୍କୁ ବୀମା ଟଙ୍କା ଦିଆଯାଇଥିବା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଆନ୍ଧ୍ର, ବିହାର, ଗୁଜରାଟ, ଝାଡ଼ଖଣ୍ଡ, ତେଲେଙ୍ଗାନା, ବିହାର ଭଳି ୬ଟି ରାଜ୍ୟ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରୁ ଓହରି ଗଲେଣି । ଏବେ ସମୟ ଆସିଛି କେନ୍ଦ୍ର ସରକାର ଏସବୁ ଦିଗ ଉପରେ ଦୄଷ୍ଟି ଦେଇ ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଅନ୍ତୁ । ଚାଷୀଙ୍କ ହକ ପାଇଁ ଆମେ ଆମର ଲଢେ଼ଇ ଜାରି ରଖିବୁ କହିଲେ ସସ୍ମିତ ପାତ୍ର ।

ସେପଟେ ରାଜ୍ୟର ବିଭିନ୍ନ ମରୁଡି ପ୍ରବଣ ଅଂଚଳକୁ ଯିବ ବିଜେପି ପ୍ରତିନିଧି ଦଳ । ଏଥିପାଇଁ ୪ଟି କମିଟି ଗଠନ କରାଯାଇଛି । ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ୪ଟି କମିଟି ଗଠନ କରାଯାଇଛି । ରାଜ୍ୟ ସରକାର ଟାସ୍କ ଫୋର୍ସ କରିବାକୁ ଦାବି କରିଛି ଦଳ । ତୁରନ୍ତ ଚାଷୀଙ୍କୁ ଯୋଗାଇ ଦେବା ସହ ସଚିବମାନଙ୍କୁ ପଠାଇ ତୁରନ୍ତ ସମୀକ୍ଷା କରି ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛି ବିଜେପି ।