ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ବାର୍ତ୍ତା, ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନାର କଲେ ପ୍ରଶଂସା

166

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆଜି ଦେଶବାସୀଙ୍କ ଉର୍ଦ୍ଦେଶ୍ୟରେ ନିଜର ବାର୍ତ୍ତା ରଖିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୁପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି କି ଭାରତକୁ ଲୋକତନ୍ତ୍ରର ଜନନୀ ବୋଲି କୁହାଯାଇଥାଏ । ଏହାସହ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ନିକଟରେ ଦେଶ ଋଣୀ ବୋଲି ସେ କହିଛନ୍ତି । ଭାରତର ସଭ୍ୟତା ଦେଶର ସବୁଠାରୁ ପୁରୁଣା ସଭ୍ୟତା ଓ ଏହାକୁ ନେଇ ଦେଶ ଗର୍ବକରେ ବୋଲି ରାଷ୍ଟ୍ରପତି କହିଛନ୍ତି । ଭାରତରେ ବିଭିନ୍ନ ଭାଷା ପ୍ରଚଳିତ ଥିବା ସତ୍ୱେ ଆମକୁ କେହି ଅଲଗା କରିପାରିବେ ନାହିଁ । ଏହାସହ କରୋନା କାଳର ସେ କଷ୍ଟଦାୟକ ସମୟକୁ ମନେପକାଇ ରାଷ୍ଟ୍ରପତି କହିଛନ୍ତି ଯେ କରୋନା କାଳରେ ଜନତାଙ୍କ ଠାରୁ ସରକାର ପର୍ଯ୍ୟନ୍ତ ବହୁ ସମସ୍ୟାର ସାମ୍ନା କରିବାକୁ ପଡିଛି ।

ଏବେ ଦେଶ ମହାମାରୀ କବଳରୁ ମୁକ୍ତି ପାଇଛି । ଏହାସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବ ଲୋକଙ୍କ ଲାଭ ମିଳୁଥିବା କଥା ରାଷ୍ଟ୍ରପତି କହିଛନ୍ତି । ୨୦୨୩ ଶେଷ ପର୍ଯ୍ୟନ୍ତ ଅନ୍ନ ଯୋଜନା ଜାରି ରହିବ । କରୋନା ପରେ ଦେଶର ଅର୍ଥନୀତିରେ ଦ୍ରୁତ ସୂଧାର ଆସୁଛି । ସେପଟେ ଦେଶର ରାଷ୍ଟ୍ରୀୟ ଶିକ୍ଷାନୀତି ଦେଶବାସୀଙ୍କ ପାଇଁ ଲାଭଦାୟକ ବୋଲି ରାଷ୍ଟ୍ରପତି କହିଛନ୍ତି । ଡିଜିଟାଲ ବିକାଶରେ ଗ୍ରାମବାସୀଙ୍କୁ ସାମିଲ କରିବାକୁ ସରକାରଙ୍କ ଗାଁ ଗୁ ଗାଁ ଇଣ୍ଟରନେଟ ସୁବିଧା ଉପଲବ୍ଧ କରାଇବାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି । ଦେଶର କନ୍ୟାରତ୍ନଙ୍କ ପାଇଁ ସରକାର ଚଳାଇଥିବା ବେଟି ବଚାଓ ବେଟି ପଢାଉ ଅଭିଯାନ ଏକ ସାମାଜିକ ଲାଭ ବୋଲି ସେ କହିଛନ୍ତି ।