କନକ ବ୍ୟୁରୋ: ତିନି ଦିନିଆ ଓଡିଶା ଗସ୍ତରେ ଆସି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଭୁବନେଶ୍ୱରରେ ଅତୁଟ ବନ୍ଧନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସରକାରୀ ମେଡିକାଲ କଲେଜରେ ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ସଂସ୍ଥା ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଅନୁଷ୍ଠାନର ଏଭଳି ସେବାମୂଳକ କାମକୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି । ବଣ ମଲ୍ଲିକୁ ବଣରେ ମଉଳିବାକୁ ଦେଇନଥିବାରୁ ସଂସ୍ଥାର ପୃଷ୍ଠ ପୋଷକଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଗାଁ ଗହଳିକୁ ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Advertisment

ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ପ୍ରୀତିଶ ଚନ୍ଦ୍ର ବସା ତାଙ୍କ ଏକମାତ୍ର ପୁଅ ମିତ୍ ବସାଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକିରେ ନିଷ୍ପତି କରିଥିଲେ ସରକାରୀ ମେଡିକାଲରେ ପାଠ ପଢୁଥିବା ଅଭାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବେ । ଏଥିପାଇଁ ଅତୁଟ ବନ୍ଧନ ସଂସ୍ଥାର ପରିକଳ୍ପନା କରାଗଲା ଏବଂ ଧିରେଧିରେ ଏହି ମହତ କାମରେ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଡିହେଲେ । ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ ମିଶ୍ର, ଏମକେସିଜି ମେଡିକାଲ କଲେଜର ଆନାଟୋମୀ ବିଭାଗର ପ୍ରଫେସର ଜାମିସାଗର ପୃଷ୍ଟି, ଭୁବନେଶ୍ୱର ଏମ୍ସର କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସରୋଜ ଦାସ ମଜୁମଦାରଙ୍କ ଭଳି ପ୍ରାୟ ୩୭ ଜଣ ପୃଷ୍ଠପୋଷକ ତାଙ୍କୁ ଏହି କାମରେ ସହଯୋଗ କରୁଛନ୍ତି । ବିଭିନ୍ନ ସରକାରୀ ମେଡିକାଲ କଲେଜରେ ପ୍ରାୟ ୫୨ ଜଣ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା କରୁଛି ଅତୁଟ ବନ୍ଧନ ।

ଅତି ଆବେଗଭରା କଣ୍ଠରେ ରାଷ୍ଟ୍ରପତି କହିଛନ୍ତି, ଆମ ରାଜ୍ୟରେ ଓ ଦେଶରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଡାକ୍ତର ହେବା ଆବଶ୍ୟକ । କିନ୍ତୁ ସେବା ପାଇଁ ନିଜ କର୍ମକ୍ଷେତ୍ର ଭାବେ ଗାଁକୁ ମଧ୍ୟ ବାଛିନେବା କଥା, କାରଣ ଭାରତ କହିଲେ ମୁଖ୍ୟତଃ ଗାଁକୁ ବୁଝାଏ । ଏହି ଅବସରରେ ଉପସ୍ଥିତ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଇଛନ୍ତି ସେବା ଓ ମାନବିକତାର ଗୁରୁମନ୍ତ୍ର ।