ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିରୋଧୀ ମେଣ୍ଟ ୟଶବନ୍ତ ସିହ୍ନାଙ୍କ ନାମ ଘୋଷଣା କରିବା ପରେ ଅଡୁଆରେ ପୁଅ ଜୟନ୍ତ ସିହ୍ନା, ପାର୍ଟି ନା ପିତା କାହାକୁ ଦେବେ ଭୋଟ

575

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ନେଇ ଉଭୟ ପଟୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏନଡିଏ ମେଣ୍ଟ ତରଫରୁ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦୌପଦୀ ମୁର୍ମୁର୍ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନ୍ନୀତ କରାଯାଇଥିବା ବେଳେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ବିରୋଧୀ ମେଣ୍ଟ ୟଶବନ୍ତ ସିହ୍ନାଙ୍କ ନାମ ଘୋଷଣା କରିଛି । ବିରୋଧୀ ମେଣ୍ଟ ତରଫରୁ ୟଶବନ୍ତ ସିହ୍ନାଙ୍କ ନାମ ଘୋଷଣା ପରେ ଅଡୁଆରେ ପଡିଛନ୍ତି ୟଶବନ୍ତଙ୍କ ପୁଅ ଜୟନ୍ତ ସିହ୍ନା । କାରଣ ଜୟନ୍ତ ଏବେ ବିଜେପି ଟିକେଟରୁ ସାଂସଦ ଅଛନ୍ତି । ସେପଟେ ୨୦୧୪ ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିବା ପରେ ଜୟନ୍ତ ସିହ୍ନାଙ୍କୁ ମନ୍ତ୍ରୀପଦ ମିଳିଥିଲା । ହେଲେ ତାଙ୍କ ପୂର୍ବରୁ ବାଜପେୟୀଙ୍କ ସରକାର ସମୟରେ ପିତା ୟଶବନ୍ତ ସିହ୍ନା କେନ୍ଦ୍ରମନ୍ତ୍ରୀ ଭାବେ ବି କାର୍ଯ୍ୟ କରିସାରିଛନ୍ତି । ହେଲେ ୨୦୧୪ ରେ ମୋଦୀ ସରକାର ଗଠନ ହେବା ପରେ କୌଣସି କାରଣରୁ ୟଶବନ୍ତ ବିଜେପିରୁ ଇସ୍ତଫା ଦେଇଥିଲେ । ୨୦୨୨ ରେ ସେ ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ।

ସେପଟେ ଏନଡିଏ ତରଫରୁ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ଜୟନ୍ତ ସିହ୍ନା ଏହାକୁ ସ୍ୱାଗତ କରିଛନ୍ତି । ଏହାସହ ସେ କହିଛନ୍ତି କି, ଦୌପଦୀ ମୁର୍ମୁ ଜଣେ ନିସ୍ୱାର୍ଥପର ମଣିଷ । ସେ ଆଦିବାସୀଙ୍କ ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ଏହାସହ ଦୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଅନ୍ୟପଟେ ତାଙ୍କ ପିତା ୟଶବନ୍ତ ସିହ୍ନାଙ୍କୁ ବିରୋଧୀ ମେଣ୍ଟ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ନେଇ ଜୟନ୍ତ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି କି ଏହି ପାରିବାରିକ ସଂପର୍କକୁ ରାଜନୀତିର ରଙ୍ଗ ଦିଆ ନଯାଉ । ମୁଁ ଜଣେ ବିଜେପି କର୍ମୀ ସହ ଜଣେ ସାଂସଦ ଭାବେ ଦଳର ନିଷ୍ପତ୍ତିକୁ ସମ୍ମାନ ଦେବି ବୋଲି ସେ କହିଛନ୍ତି ।