ରାଷ୍ଟ୍ରପତି ନିର୍ବାଚନ : ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ; ପ୍ରସ୍ତାବକ ରହିବେ ରାଜ୍ୟର ଦୁଇ ମନ୍ତ୍ରୀ

112

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ । ଏନଡିର ପ୍ରାର୍ଥୀ ଦ୍ରୌପଦୀ ନାମାଙ୍କନ ଦାଖଲ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ । ଏଥିସହ ଓଡିଶା ବିଜେପିର ୧୨ ବିଧାୟକ ମଧ୍ୟ ଉପସ୍ଥିତ ରହିବେ । ସବୁଠାରୁ ବଡ କଥା ହେଉଛି, ଦ୍ରୌପଦୀଙ୍କ ପ୍ରସ୍ତାବଙ୍କ ମଧ୍ୟରୁ ବିଜେଡିର ଦୁଇ ପ୍ରସ୍ତାବକ ରହିବେ ।

ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦ୍ରୌପଦୀଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ଦସ୍ତଖତ କରିବେ । ଏ ନେଇ ଆଗରୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦୁଇ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ସହ ଦିଲ୍ଲୀ ଯାଇଛନ୍ତି । ଆଜି ଦିନ ୧୨ଟାରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ । ଅନ୍ୟପଟେ ରାଜ୍ୟ ବିଜେପିର ୧୨ ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି । ଏମାନେ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ଉପସ୍ଥିତ ରହିବେ ।

ଅନ୍ୟପକ୍ଷରେ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା କଂଗ୍ରେସ ସମର୍ଥନ କରିବାକୁ ମନା କରିଦେଇଛି। କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଗୁରୁବାର ଦିନ ଏହା ସ୍ପଷ୍ଟ କରିଛନ୍ତି । ବିଧାନସଭାର ସମସ୍ତ ସଦସ୍ୟ ଦଳମତ ନିର୍ବିଶେଷରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରିବା ପରେ ସେ କହିଛନ୍ତି, ଦ୍ରୌପଦୀ ମୁର୍ମୁ ଜଣେ ଭଲ ମଣିଷ ଓ ଭଲ ବିଧାୟିକା । ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣେ ।

କିନ୍ତୁ ସେ ବିଜେପି ନୀତି ଆଦର୍ଶରେ ବିଶ୍ୱାସ କରୁଥିବାରୁ ସମର୍ଥନ ଦେବୁନି । ତାଙ୍କ ପ୍ରାର୍ଥିତ୍ୱ ଘୋଷଣା ପୂର୍ବରୁ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଘୋଷଣା କରିସାରିଛି । ତେଣୁ ଜଣଙ୍କୁ ଛିଡ଼ା କରି ଅନ୍ୟ ଜଣଙ୍କୁ ସମର୍ଥନ କରିବା ଠିକ୍‌ କଥା ହେବନି । ଓଡ଼ିଶା କଂଗ୍ରେସର ବିଧା‌ୟକମାନେ ମିଳିତ ବିରୋଧୀ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ସେ କହିଛନ୍ତି ।