କାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଗାର୍ଡେନ । ୱାକ-ଇନ ପ୍ରବେଶ ଉପରେ ରୋକ୍ , ଅନଲାଇନ୍ ରେ ଟିକେଟ କରି ପଶିପାରିବେ ଭ୍ରମଣକାରୀ

73

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ଆସନ୍ତା କାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ । ଏନେଇ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ‘ଉଦ୍ୟାନୋତ୍ସବ’ର ଶୁଭାରମ୍ଭ କରିବେ । ଆସନ୍ତା କାଲି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ ସର୍ବସାଧାଣଙ୍କ ପାଇଁ ଖୋଲା ରହିବ ।
ଏହି ଭବନ ଖୋଲିବା ନେଇ ଚଳିତ ବର୍ଷ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଯେମିତି କି ୱାକ-ଇନ ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ଯେଉଁମାନେ ମୋଗଲ ଉଦ୍ୟାନ ବୁଲିବାକୁ ଚାହିଁବେ ସେମାନଙ୍କୁ ଅଗ୍ରୀମ ଅନଲାଇନ ଟିକଟ ବୁକିଂ କରିବାକୁ ପଡିବ । ଲୋକମାନେ rastrapatisachivalaya.gov.in  ୱେବସାଇଟ୍  ମାଧ୍ୟମରେ ଏଥିପାଇଁ ବୁକିଂ କରିପାରିବେ ବୋଲି ସୂଚନା ଦିଆଯାଇଛି ।

ଟିକେଟ ବୁକିଂ କରି ଅନୁମତି ପାଇବା ପରେ ବି ଉଦ୍ୟାନ ବୁଲି ଦେଖିବାକୁ କିଛି କଟକଣା ଜାରି କରାଯାଇଛି । ଯେମିତି କି ପ୍ରତ୍ୟେକ ଥରରେ ସର୍ବାଧିକ ୧୦୦ ଜଣ ଲୋକ ଉଦ୍ୟାନ ଭିତରକୁ ପ୍ରବେଶ କରିପାରିବେ । ଏହାସହ ଭ୍ରମଣ ସମୟରେ ଦର୍ଶକ ମାନଙ୍କୁ ସରକାରଙ୍କ କୋଭିଡ୍ କଟକଣା ମାନିବାକୁ ପଡିବ । ମାସ୍କ ଓ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ପ୍ରବେଶ ଦ୍ୱାରରେ ଥର୍ମାଲ ସ୍କ୍ରିନିଂ କରାଯିବ । କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ନାହିଁ ।
ସମସ୍ତ ଭ୍ରମଣକାରୀ ମାନେ ରାଷ୍ଟ୍ରପତିଙ୍କ ଇଷ୍ଟେଟ୍ ଗେଟ୍ ନମ୍ବର ୩୫ ଦେଇ ପ୍ରବେଶ ଓ ପ୍ରସ୍ଥାନ କରିବେ । ଉଦ୍ୟାନ ଭିତରକୁ ପାଣି ବୋତଲ, ହ୍ୟାଣ୍ଡବ୍ୟାଗ, ପର୍ସ, କ୍ୟାମେରା, ରେଡିଓ, ଛତା ଓ ଖାଦ୍ୟ ପଦାର୍ଥ ନେବାକୁ ବାରଣ କରାଯାଇଛି । ସେପଟେ ସରକାରଙ୍କ ପକ୍ଷରୁ ଭ୍ରମଣକାରୀଙ୍କ ପାଇଁ ସାନିଟାଇଜର, ପାନୀୟ ଜଳ, ଶୌଚାଳୟ ଓ ପ୍ରାଥମିକ ଚିକିତ୍ସାର ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଭ୍ରମଣକାରୀ ମାନେ ସେହି ଟିକଟ୍ ମାଧ୍ୟମରେ ମୋଗଲ ଉଦ୍ୟାନ ଦେଖିବା ସହ ରାଷ୍ଟ୍ରପତି ଭବନ ଓ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ମଧ୍ୟ ବୁଲି ଦେଖିପାରିବେ ।