କନକ ବ୍ୟୁରୋ : ଦେଶରେ କିଏ ହେବ ଆଗାମୀ ରାଷ୍ଟ୍ରପତି ଏନେଇ ଆଜି ସ୍ପଷ୍ଟ ହେବାକୁ ଯାଉଛି । ଦେଶର ୧୫ ତମ ରାଷ୍ଟ୍ରପତି ଦୌଡରେ ଅଛନ୍ତି ଏନଡିଏ ସମର୍ଥିତ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ମେଣ୍ଟର ପ୍ରାର୍ଥୀ ୟଶୱନ୍ତ ସିହ୍ନ । ଗୋଟିଏ ପଟେ ଏହି ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଜିତିିବା ସମ୍ଭାବନା ଅଧିକ ଥିଲେ ବି ନିର୍ବାଚନ ଫଳା ଫଳ ଉପରେ ରହିଛି ଦେଶବାସୀଙ୍କ ନଜର । ଯଦି ଏହି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ବିଜୟୀ ହୁଅନ୍ତି ତେବେ ଦେଶ ପ୍ରଥମଥର ପାଇଁ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭାବେ ଦେଖିବାକୁ ପାଇବ ।

Advertisment

ସେପଟେ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ପରେ ଯେଉଁ ଫଳାଫଳ ଆସିଛି ସେଥିରେ ସାଂସଦଙ୍କ ମୋଟ ମତ ସଂଖ୍ୟା ୭୪୮ ରହିଛି । ଏଥିରୁ ୫୪୦ ସାଂସଦ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ ଦେଇଛନ୍ତି । ଏହି ଭୋଟର ଭାଲ୍ୟୁ ୩,୭୮,୦୦୦ ରହିଥିବା ବେଳେ ୟଶୱନ୍ତ ସିଂଙ୍କୁ ୨୦୮ ଭୋଟ ମିଳିଛି ଓ ଏହାର ଭାଲ୍ୟୁ ୧,୪୫,୬୦୦ । ଏହାସହ ୧୫ ଟି ଭୋଟକୁ ଖାରଜ କରାଯାଇଛି ।

କହିରଖୁ କି ରାଷ୍ଟ୍ରପତି ଚୟନ ପାଇଁ ଜୁଲାଇ ୧୮ ତାରିଖରେ ଭୋଟ ଗ୍ରହଣ ହୋଇଥିଲା । ଏହାପରେ ଆଜି ସକାଳ ୧୧ ଟାରୁ ସଂସଦ ଭବନ ପରିସରରେ ଭୋଟ ଗଣତି ଆରମ୍ଭ ହୋଇଛି । ନିର୍ବାଚନ ଅଧିକାରୀ ସଂସଦର ୬୩ ନମ୍ବର କୋଠରୀରେ ଭୋଟ ଗଣତି କରାଉଛନ୍ତି । ସେପଟେ ଆଜି ସନ୍ଧ୍ୟା ସୁଦ୍ଧା ଭୋଟ ଗଣତି ସମାପ୍ତ ହେବ ବୋଲି ଅନୁମାନ କରାଯାଇଛି ।