କନକ ବ୍ୟୁରୋ: ରାଷ୍ଟ୍ରପତି ଭବନ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଥିବା ଏହି ବିଶାଳ ଭବନ ଦେଖିବାକୁ ଯେତିକି ଭବ୍ୟ ସେତିକି ସୁନ୍ଦର ମଧ୍ୟ । କାହିଁକି ନା, ବିଶ୍ୱର ସବୁଠୁ ବଡ ଗଣତନ୍ତ୍ରର ପ୍ରଥମ ନାଗରିକ ଏହି ଭବନରେ ହିଁ ରହିଥାନ୍ତି । ଆଉ ଏବେ ଜଣେ ଓଡିଆ ଝିଅର ଠିକଣା ରାଇସିନା ହିଲରେ ଥିବା ରାଷ୍ଟ୍ରପତି ଭବନ ହେବାକୁ ଯାଉଛି ।
ଯାହାକୁ ଆମେ ଏବେ ରାଷ୍ଟ୍ରପତି ଭବନ ବୋଲି ଜାଣୁଛେ । ଭାରତ ସ୍ୱାଧୀନ ହେବା ପୂର୍ବରୁ ତାହା ବ୍ରିଟିଶ ଭାଇସରାୟଙ୍କ ସରକାରୀ ଆବାସ ଥିଲା । କୁହାଯାଏ ଯେତେବେଳେ ଇଂରେଜମାନେ ଭାରତର ରାଜଧାନୀ କୋଲକାତାରୁ ଦିଲ୍ଲୀକୁ ସିଫ୍ଟ କରିଥିଲେ, ସେତେବେଳେ ୧୯୧୧ ମସିହାରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ଆଉ ଏହା ଶେଷ ହେବାକୁ ୧୭ ବର୍ଷ ସମୟ ଲାଗିଯାଇଥିଲା ।
୨୬ ଜାନୁଆରୀ ୧୯୫୦ । ଦିଲ୍ଲୀରେ ଥିବା ଏହି ବିଶାଳ ଭବ୍ୟ ଭବନ ଦେଶର ରାଷ୍ଟ୍ରପତି ଭବନ ଭାବେ ପରିଚୟ ପାଇଥିଲା । ଆଉ ଏବେ ସେବେଠୁ ଦେଶର ସମସ୍ତ ରାଷ୍ଟ୍ରପତିଙ୍କ ସରକାରୀ ଆବାସ ଭାବେ ଏହା ରହିଆସିଛି । ୪ ମହଲା ଏହି ଭବନରେ ୩୪୦ଟି ଘର ଥିବାବେଳେ, ଏହାର ନିର୍ମାଣ ପାଇଁ ମୋଟ ୪୫ ଲକ୍ଷ ଇଟାର ବ୍ୟବହାର ହୋଇଥିଲା । ରାଷ୍ଟ୍ରପତି ଭବନ ତାର ଭବ୍ୟ ନିର୍ମାଣ ଶୈଳୀ ସହିତ ମୋଗଲ ଗାର୍ଡେନ ପାଇଁ ମଧ୍ୟ ବେଶ ପରିଚିତ ।
ଭାରତର ଏହି ରାଷ୍ଟ୍ରପତି ଭବନର ନିର୍ମାଣ କରିଥିଲେ ବାସ୍ତୁକାର ଏଡୱିନ୍ ଲୁଟିୟନ୍ସ । ଯାହା ଆଜି ବି ତାଙ୍କୁ ସମସ୍ତଙ୍କ ପାଖରେ ଅମର କରି ରଖିଛି । ତେବେ ରାଷ୍ଟ୍ରପତି ଭବନ ସବୁଠୁ ବଡ ପରିଚୟ ହେଉଛି ଏହାର ସେଂଟ୍ରାଲ ଡୋମ୍ । ଯାହାକି ସମସ୍ତଙ୍କୁ ଐତିହାସିକ ସାଂଚି ସ୍ତୁପ କଥା ମନେ ପକାଇ ଦେଇଥାଏ । ଏହି ଗୁମ୍ବଦ ଫୋର୍ କୋର୍ଟଠାରୁ ୫୫ ଫୁଟ୍ ଉପରେ ରାଷ୍ଟ୍ରପତି ଭବନର ମୁକୁଟ ଭଳି ରହିଛି ଆଉ ଏହାର ସୁନ୍ଦରତା ବଢାଉଛି ।
ଜୁଲାଇ ୨୫ ତାରିଖରେ ଓଡିଶା ମାଟିର ଝିଅ ଦେଶର ଆଗାମୀ ରାଷ୍ଟ୍ରପତି ଭାବେ ଶପଥ ନେବେ । ଏହାପରେ ତାଙ୍କର ସରକାରୀ ଠିକଣା ଏହି ରାଷ୍ଟ୍ରପତି ଭବନ ହେବାକୁ ଯାଉଛି । ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବେ ସେ ଏହି ପଦ ଅଳଙ୍କୃତ କରିବେ । ତେବେ ରାଷ୍ଟ୍ରପତି ଭବନର ଏହି ବିଳାସମୟ ଜୀବନ ବ୍ୟତୀତ ରାଷ୍ଟ୍ରପତିଙ୍କୁ ଆହୁରି ଅନେକ ସୁବିଧା ମଧ୍ୟ ମିଳିଥାଏ ।
ଭାରତର ରାଷ୍ଟ୍ରପତିଙ୍କୁ ଏବେ ମାସିକ ଦରମା ମିଳୁଛି ୫ ଲକ୍ଷ ଟଙ୍କା । ଯାହାକି ୨୦୧୮ ମସିହା ପୂର୍ବରୁ କେବଳ ଦେଢ ଲକ୍ଷ ଟଙ୍କା ଥିଲା । ଏହା ବ୍ୟତୀତ ରାଷ୍ଟ୍ରପତିଙ୍କୁ ମାଗଣା ମେଡିକାଲ, ଟେଲିଫୋନ୍ ବିଲ, ବିଜୁଳି ସହିତ କାର୍ଯ୍ୟକାଳ ସରିବା ପରେ ଭତା ମିଳିଥାଏ । ରାଷ୍ଟ୍ରପତି ଯିବା ଆସିବା ପାଇଁ ମର୍ସିଡିଜ୍-ବେଞ୍ଜ ଏସ୍-୬୦୦ ପୁଲମ୍ୟାନ୍ ବ୍ୟବହାର କରିଥାନ୍ତି । ଯାହାକି କଳା ରଙ୍ଗର ଏକ ଲମ୍ବା କାର ହୋଇଥାଏ । ତା ସହିତ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ସ୍ପେଶାଲ ଗାର୍ଡ ମଧ୍ୟ ରହିଛନ୍ତି । ଯାହାକୁ ଦ ପ୍ରେସିଡେଂଟ ବଡିଗାର୍ଡ ବୋଲି ମଧ୍ୟ କୁହାଯାଏ ।
ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କଠାରୁ ରାମନାଥ କୋବିନ୍ଦ । ୟା ଭିତରେ ଭାରତ ତାର ୧୪ ଜଣ ରାଷ୍ଟ୍ରପତିଙ୍କୁ ଦେଖିସାରିଲାଣି । ରାଷ୍ଟ୍ରପତି ଭବନରେ ଏହି ସମସ୍ତ ରାଷ୍ଟ୍ରନେତା କାମ ବି କରିସାରିଲେଣି । ଜୁଲାଇ ୨୫ ତାରିଖରେ ବିଶ୍ୱର ସବୁଠୁ ବଡ ଗଣତନ୍ତ୍ର ତାର ନୂଆ ରାଷ୍ଟ୍ରପତି ପାଇବାକୁ ଯାଉଛି । ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ଆଗାମୀ ରାଷ୍ଟ୍ରପତି ଭାବେ ଏହିଦିନ ହିଁ ଶପଥ ନେବେ । ଆଉ ସେବେଠୁ ତାଙ୍କର ଠିକଣା ବଦଳି ରାଇରଙ୍ଗପୁରରୁ ରାଇସିନା ହିଲ୍ ହୋଇଯିବ ।