ପ୍ରଚଣ୍ଡ ତିକ୍ତ ସମ୍ପର୍କର ପ୍ରତିବନ୍ଧକକୁ ଏଡାଇ କିମଙ୍କୁ ଭେଟିଲେ ଟ୍ରମ୍ପ ! ହାତ ମିଳାଇଲେ ଦୁଇନେତା, ଦୀର୍ଘ ସମୟ ଧରି ଚାଲିଲା ଓ୍ଵାନ ଟୁ ଓ୍ଵାନ ବୈଠକ

62

କନକ ବ୍ୟୁରୋ: ବିଶ୍ୱର ୨ ଜଣ ପ୍ରମୂଖ ନେତା ତଥା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ରାଷ୍ଟ୍ରପତି ଶାସକ କିମ ଜଙ୍ଗ ଉନଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଆଜି ସକାଳ ୭ଟାରେ ଉଭୟଙ୍କ ମଧ୍ୟରେ ସାକ୍ଷାତକାର ହୋଇଛି । ସିଙ୍ଗାପୁରର ସେଂଟୋସା ଦ୍ୱୀପରେ ଟ୍ରମ୍ପ ଓ କିମ ଜଙ୍ଗଙ୍କ ମଧ୍ୟରେ ଭେଟ ହେବା ପରେ ଉଭୟ ଦେଶର ନେତା ହାତ ମିଳାଇଛନ୍ତି । ଉଭୟ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ଭେଟକୁ ଐତିହାସିକ କୁହାଯାଉଛି, କାରଣ ଆମେରିକାର କୌଣସି ରାଷ୍ଟ୍ରପତି ଉତରକୋରିଆର ନେତାଙ୍କୁ ଭେଟିବା ଏହା ହେଉଛି ପ୍ରଥମ ଘଟଣା ।

ଅନ୍ୟପକ୍ଷରେ କ୍ଷମତାର ୭ ବର୍ଷ ପରେ କିମ ଜଙ୍ଗ ପ୍ରଥମ ଥର ପାଇଁ ଏତେ ବଡ ବିଦେଶ ଗସ୍ତ କରିଛନ୍ତି । ଏହି ଅବସରରେ ଡୋନାଲଡ ଟ୍ରମ୍ପ କହିଛନ୍ତି,ମୋର ବିଶ୍ୱାସ ଯେ,ଆମର ସଂପର୍କ ଶକ୍ତିଶାଳୀ ହେବ । ପୁରୁଣା ମତଭେଦ ଭୁଲି ଆମେ ଆଗକୁ ଅଗ୍ରସର ହେଉଥିବା ସେ କହିଛନ୍ତି ।ସେହିଭଳି କିମ ଜଙ୍ଗ କହିଛନ୍ତିି ସମସ୍ତ ବାଧାବିଘ୍ନକୁ ଭୁଲି ଆମର ସାକ୍ଷାତକାର ହୋଇଛି ଏପର୍ଯ୍ୟନ୍ତ ପହଚିଂବା ସହଜ ନଥିଲା । ଏଠାରେ ବଡ ପ୍ରଶ୍ନ ଉଠୁଛି, ବିଶ୍ୱର ଏହି ଦୁଇ ପ୍ରମୁଖ ନେତାଙ୍କ ସାକ୍ଷାତ ପରେ କଣ ଦୁଇଦେଶର ସମ୍ପର୍କ ସାମାନ୍ୟ ହୋଇପାରିବ ।

ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା କଣ ଟଳିବ । ପରମାଣୁ ନିରସ୍ତ୍ରୀକରଣ ପାଇଁ ଉତର କୋରିଆ ରାଷ୍ଟ୍ରପତି କଣ ରାଜି ହେବେ । ସାକ୍ଷାତ ପରେ ଆମେରିକା ରାଷ୍ଟ୍ରପତି କହିସାରିଛନ୍ତି ବୈଠକ ସକାରତ୍ମକ ଥିଲା । ଉତ୍ତର କୋରିଆ ରାଷ୍ଟ୍ରପତି ବି କହିଛନ୍ତି, ଏହି ସାକ୍ଷାତ ଏତେ ସହଜ ନଥିଲା । କୁହାଯାଉଛି, ଏହି ଦୁଇ ବିଶ୍ୱନେତାଙ୍କ ସାକ୍ଷାତ ପାଇଁ ଖର୍ଚ ହୋଇଛି ପ୍ରାୟ ଶହେ କୋଟି ଟଙ୍କା ।

ଏସବୁ ମଧ୍ୟରେ ଭାରତକୁ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ । ଭାରତ ସମେତ ଦୁନିଆର କିଛି ପ୍ରମୁଖ ଅର୍ଥବ୍ୟବସ୍ଥା ଉପରେ ଟାର୍ଗେଟ କରି ଆମେରିକାକୁ ବ୍ୟବସାୟରେ ଲୁଟ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଟ୍ରମ୍ପ । ଏହାସହ ଆମେରିକାର ଜିନିଷ ଉପରେ ଭାରତ ବହୁ ଟ୍ୟାକ୍ସ ଲଗାଉଥିବା ଅଭିଯୋଗ କରିବା ସହ ଭାରତ ଆମେରିକାର ଉତ୍ପାଦନ ଉପରେ ୧୦୦ ପ୍ରତିଶତ ଶୁଳ୍କ ଆଦାୟ କରୁଛି । ତେବେ ଆମେରିକାକୁ ଲୁଟୁଥିବା ଦେଶ ସହ ବ୍ୟବସାୟ ସମ୍ପର୍କକୁ ଭାଙ୍ଗିଦେବାକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । କାନାଡା କ୍ୟୁବେକ ସଟି ସହରରେ ଆୟୋଜିତ ଜି-୭ର ଶିଖର ସମ୍ମିଳନୀରେ ଯୋଗଦେଇ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହାସହ ଏହି ସମ୍ମିଳନୀରେ ଟ୍ରମ୍ପ ସଂଯୁକ୍ତ ଘୋଷଣା ପତ୍ରକୁ ମଧ୍ୟ ଖାରିଜ କରିଦେଇଛନ୍ତି । ତେବେ ଟ୍ରମ୍ପଙ୍କ ଏଭଳି ବ୍ୟବହାର ସମଗ୍ର ଦେଶକୁ ଅପମାନ ଦେଇଥିବା ଚର୍ଚ୍ଚା ହେଉଛି ।