ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର; ମଙ୍ଗଳବାର ଦିନ ହେବ ବାଇପାସ୍‌ ସର୍ଜରୀ

90

କନକ ବ୍ୟୁରୋ : ଗତ ଅପରାହ୍ଣରେ ‘ଦିଲ୍ଲୀ ଏମ୍‌ସ୍‌’କୁ ସ୍ଥାନାନ୍ତରିତ ହୋଇଥିବା ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ‘ବାଇପାସ୍‌ ସର୍ଜରି’ କରାଇବା ଲାଗି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ମାର୍ଚ ୩୦ ତାରିଖ ସକାଳେ ତାଙ୍କ ହୃତ୍‌ପିଣ୍ଡରେ ବାଇପାସ୍‌ ସର୍ଜରି କରାଯିବ ବୋଲି ଆପାତତଃ ସ୍ଥିର କରାଯାଇଛି । ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ‘ଏମ୍‌ସ୍‌’ର ବିଶେଷଜ୍ଞମାନେ ତାଙ୍କର ଯତ୍ନ ନେଉଛନ୍ତି ବୋଲି ସରକାରୀ ବିବୃତିରୁ ଜଣାପଡ଼ିଛି ।

ଶୁକ୍ରବାର ସକାଳେ ଛାତିରେ କଷ୍ଟ ଅନୁଭବ କରିଥିବା ୭୫ ବର୍ଷିୟ ରାଷ୍ଟ୍ରପତିଙ୍କୁ ସାମରିକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାର ଅଧିକ ପରୀକ୍ଷା ନିରୀକ୍ଷା ଲାଗି ଶନିବାର ଦିନ ‘ଆର୍ମି ରେଫେରାଲ୍‌ ହସ୍ପିଟାଲ୍‌’ ତାଙ୍କୁ ଦିଲ୍ଲୀର ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’(ଏମ୍ସ)କୁ ‘ରେଫର୍‌’ କରିଥିଲେ । ଗତକାଲି ଠାରୁ ରାଷ୍ଟ୍ରପତି ‘ଏମ୍‌ସ୍‌’ର ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ଅଛନ୍ତି ।

ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଟୁଇଟ୍‌ କରି ଲେଖିଛି, ରେଗୁଲାର୍‌ ମେଡିକାଲ୍‌ ଚେକ୍‌ଅପ୍‌ ପରେ ଡାକ୍ତରମାନେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ରଖିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ବୁଝାବୁଝି କରିବାକୁ ଆସିଥିବା ଶୁଭେଚ୍ଛୁମାନଙ୍କ ପ୍ରତି ରାଷ୍ଟ୍ରପତି ଧନ୍ୟବାଦ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ରାଷ୍ଟ୍ରପତି କୋବିନ୍ଦଙ୍କ ପୁଅଙ୍କ ସହିତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ପଚାରି ବୁଝିଥିଲେ।