କରୋନା ବିରୋଧରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ । ଟିକାର ପ୍ରଥମ ଡୋଜ ନେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

194

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ସବୁଠାରୁ ବଡ ଟିକା କରଣ ଅଭିଯାନ ଭାରତରେ ଚାଲୁ ରହିଛି । ଏହି କ୍ରମରେ ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର.ଆର୍ ହସ୍ପିଟାଲରେ କୋଭିଡ-୧୯ ଟିକାର ପ୍ରଥମ ଡୋଜ ନେଇଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ରକ୍ଷାମନ୍ତ୍ରୀ ରାଜନାଥ୍ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀମାନେ ଟିକା ନେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି କି ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିବା କୋଭିଡ-୧୯ ଟିକାର ତୃତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ (କେବଳ ବ୍ୟାଧି ପୀଡିତ) ୨,୦୮,୭୯୧ ଜଣଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ଏହାସହ ପ୍ରଧାନମନ୍ତ୍ରୀ ଓ ଅନ୍ୟମନ୍ତ୍ରୀ ମାନେ ଟିକା ନେବା ପରେ ଲୋକମାନଙ୍କର ଟିକା ପ୍ରତି ବିଶ୍ୱାସ ବୃଦ୍ଧି ପାଇଛି ।

ସୋମବାର ଠାରୁ କୋଭିଡ୍ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏଥିରେ ୬୦ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ (କେବଳ ବ୍ୟାଧି ପୀଡିତ) ଙ୍କୁ ଟିକା ଦିଆଯାଉଛି । ଏହି ତୃତୀୟ ପର୍ଯ୍ୟାୟ ଟିକାକରଣରେ ୨୭ କୋଟି ଲୋକଙ୍କୁ ସାମିଲ କରାଯିବ ବୋଲି କୁହାଯାଇଛି । କୋଭିଡ୍ ଟିକାକରଣର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନାଯୋଦ୍ଧାଙ୍କୁ ମିଶାଇ ୩ କୋଟି ଲୋକଙ୍କୁ ଟିକା ଦିଆଯାଇଥିଲା ।