ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ କାର୍ଯ୍ୟକାଳ ସମ୍ଭାଳିବା ପରେ ନିଜ ପ୍ରଥମ ବିଦେଶ ଗସ୍ତରେ ପ୍ରଥମେ ମାଳଦ୍ୱୀପ ଓ ପୁଣି ରବିବାର ଦିନ ଶ୍ରୀଲଙ୍କା ପହଂଚିଥିଲେ । ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବ୍ୟ ସ୍ୱାଗତ କରାଗଲା । ପୁରା କଲମ୍ବୋ ମୋଦି-ମୋଦି ନାରାରେ କମ୍ପିଲା । ସବୁଠାରୁ ରୋଚକ ବିଷୟ ଏହା ହେଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଗତରେ ଶ୍ରୀଲଙ୍କାର ରାଷ୍ଟ୍ରପତି ମୈତ୍ରିପାଲି ସିରିସେନା ନିଜେ ସାମିଲ ହେଲେ । ସିରିସେନା ଜଣେ ସାଧାରଣ ନାଗରିକ ଭଳି ମୋଦିଙ୍କ ସ୍ୱାଗତ କରୁଥିବା ଦେଖାଗଲେ । ଯେତେବେଳେ ମୋଦି ଗାର୍ଡ ଅଫ୍ ଅନର ପାଇଁ ପହଂଚିଲେ, ସତେବେଳେ ସିରିସେନା ନିଜେ ହିଁ ଆଗକୁ ବଢ଼ି ଛତା ଧରିଲେ ଓ ମୋଦିଙ୍କୁ ବର୍ଷାରେ ଓଦା ହେବାରୁ ବଂଚାଇଲେ ।

Advertisment

ଭାରତୀୟ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରବିଶ କୁମାର ଏହି କାର୍ଯ୍ୟକ୍ରମର କିଛି ଫଟୋ ଟ୍ୱିଟ୍ କରିଛନ୍ତି । ରାଷ୍ଟ୍ରପତି ସିରିସେନା ଓ ପିଏମ ମୋଦିଙ୍କ ଏକ ଛତା ତଳେ ଛିଡା ହୋଇଥିବା ଫଟୋକୁ “Together with you-come rain or shine” କ୍ୟାପସନ୍ ଦେଇ ଟ୍ୱିଟ୍ କରିଛନ୍ତି । ସେହି କ୍ୟାପସନ୍ ପ୍ରସିଦ୍ଧ ଆମେରିକୀୟ ଜ୍ୟାଜ କଳାକାର ବିଲି ହଲିଡେଙ୍କ ଏକ ଗୀତର ଲାଇନ୍ ।

ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟ ସମାପନ ହେବା ପରେ ଟ୍ୱିଟ କରି ଲେଖିଛନ୍ତି କି, “ମୁଁ ଶ୍ରୀଲଙ୍କାର ଛୋଟ କିନ୍ତୁ ବହୁତ ଫଳପ୍ରଦ ଯାତ୍ରା ପୁରା କରିଛି । ଆମ ହୃଦୟରେ ଶ୍ରୀଲଙ୍କା ପାଇଁ ଏକ ବିଶେଷ ସ୍ଥାନ ଅଛି । ମୁଁ ଶ୍ରୀଲଙ୍କାର ଭାଇ ଓ ଭଉଣୀଙ୍କୁ ବିଶ୍ୱାସ ଦେଉଛି ଯେ, ଭାରତ ସବୁବେଳେ ଆପଣଙ୍କ ସାଥିରେ ରହିବ । ଆପଣଙ୍କ ରାଷ୍ଟ୍ରର ପ୍ରଗତିରେ ସହଯୋଗ କରିବ । ସ୍ମରଣୀୟ ସ୍ୱାଗତ ଓ ସତ୍କାର ପାଇଁ ଧନ୍ୟବାଦ ।”