କନକ ବ୍ୟୁରୋ : ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୁରୁତ୍ୱ । ତ୍ୱରିତ ନ୍ୟାୟ ଉଭୟ ପୀଡିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ ଏବଂ ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ହଇରାଣ ହେଉଛନ୍ତି । ଅନେକଙ୍କ ଜୀବନ ଜେଲରେ କଟୁଛି ଏବଂ ନ୍ୟାୟ ବିଳମ୍ବ ପାଇଁ ପୀଡିତ ମଧ୍ୟ ହତାଶ ହୋଇପଡୁଥିବା ରାଷ୍ଟ୍ରପତି କହିଛନ୍ତି  ।

କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ହାଇକୋର୍ଟର ୭୫ ବର୍ଷ ପୂର୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଦ୍ରୌପଦୀ ମୁର୍ମୁ । ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଗଣେଷୀଲାଲ ମଧ୍ୟ ଉପସ୍ଥିତ ଥିଲେ । ସ୍ୱାଗତ ଭାଷଣ ଦେଇଥିଲେ ଜଷ୍ଟିସ ଏସ୍.ମୁରଲୀଧର । ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଓ ହାଇକୋର୍ଟର ଅନ୍ୟାନ୍ୟ ବିଚାରପତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

କଟକ ଚଣ୍ଡି ମନ୍ଦିରରେ ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା । ସଡ଼କ ପଥରେ ଭୁବନେଶ୍ୱରରୁ ଯାଇ କଟକରେ ପହଂଚିବା ପରେ ପ୍ରଥମେ ଚଣ୍ଡିମନ୍ଦିର ଯାଇ ସେଠାରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ମହାମହିମ । ମନ୍ଦିରରେ ପାଖାପାଖି ୧୫ ମିନିଟ୍ ରହିଥିଲେ ରାଷ୍ଟ୍ରପତି । ମନ୍ଦିରରୁ ବାହାରିବା ପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ।

ମା' କଟକ ଚଣ୍ଡିଙ୍କ ଦର୍ଶନନ ସାରି ଫେରୁଥିବା ବେଳେ ଛୋଟ ପିଲାଙ୍କୁ ଚକୋଲେଟ ବାଣ୍ଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମନ୍ଦିରରୁ ବାହାରି ଶୈଳବାଳା ମହିଳା ମହାବିଦ୍ୟାଳୟକୁ ଯିବା ବେଳେ ଚଣ୍ଡି ଛକରେ ପିଲାଙ୍କୁ ଚକୋଲେଟ ବାଣ୍ଟିଛନ୍ତି । ନିଜ କାରକେଡକୁ ଅଟକାଇ ଗାଡିରୁ ବାହାରି ସେଠାରେ ଅଟକିଥିବା ପିଲାଙ୍କୁ ଚକୋଲେଟ ବାଣ୍ଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତିଙ୍କୁ ନିଜର ଅତି ନିକଟରେ ପାଇ ଖୁସି ହୋଇଯାଇଥିଲେ ପିଲା ।

ଚଣ୍ଡିମନ୍ଦିରରୁ ବାହାରି ଶୈଳବାଳା ମହିଳା ସ୍ୱଂୟଶାସିତ ମହାବିଦ୍ୟାଳୟକୁ ଯାଇଥିଲେ ମହାମହିମ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଶୈଳବାଳା ମହିଳା ମହାବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧୁବାବୁଙ୍କ ଫଟୋଚିତ୍ର ଉପହାର ଭାବେ ଦିଆଯାଇଛି । ଏହା ପରେ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ସଂଗ୍ରାହଳୟ ଯାଇ ସେଠାରେ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂତିରେ ମାଲ୍ୟାର୍ପଣ କରିଛନ୍ତି । ଏହା ସହ ସଂଗ୍ରାହଳୟର ବିଭିନ୍ନ ଗ୍ୟାଲେରି ବୁଲି ଦେଖିଥିଲେ ।

କଟକର ଜଣେ ଚିତ୍ର ଶିଳ୍ପୀ ମହାମହିମଙ୍କର ଏକ ପେନସିଲରେ ରାଷ୍ଟ୍ରପତିଙ୍କର ଏକ ଛବି ପ୍ରସ୍ତୁତ କରିଛନ୍ତି । ଚିତ୍ରଶିଳ୍ପୀ ଜି.ତ୍ରିବେଣୀ ରାଷ୍ଟ୍ରପତିଙ୍କର ଏକ ସୁନ୍ଦର ଚିତ୍ର ଆଙ୍କି ଉପହାର ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଦେଇଛନ୍ତି । ଓଡ଼ିଶାର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରଠାରୁ ସେ ଏହି ଛବିକୁ ଉପହାର ଦେବା ପାଇଁ ଚାହୁଁଥିଲେ । ତେବେ କଟକ ଗସ୍ତ ବେଳେ ଏହି ସ୍ୱପ୍ନ ପୂରଣ ହୋଇଥିବା ଚିତ୍ରଶିଳ୍ପୀ ତ୍ରିବେଣୀ କହିଛନ୍ତି ।